ନୟାଗଡ : ନୟାଗଡ ଜିଲ୍ଲା ଓଡଗାଁ ଥାନା ବେଲଦ୍ବାର ଗାଁରେ ସ୍ତ୍ରୀଙ୍କୁ ମାରି ହାତ ବାନ୍ଧି ସ୍ବାମୀ ପୋଖରୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଶରଣକୂଳ ଥାନା ହରିହରପୁର ଗାଁର ଶ୍ୟାମଘନ ସାହୁଙ୍କ ଝିଅ ତପସ୍ବିନୀ ଗତ ୨୦୨୦ମସିହାରେ ସଦରଥାନା ବିନ ପ୍ରଧାନଙ୍କ ପୁଅ ବକ୍ସିଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୫ବର୍ଷର ଝିଅ ରହିଛି । ଯୌତୁକ ପାଇଁ ପୁଅ ଘର ଲୋକ ବିଭିନ୍ନ ସମୟରେ ତପସ୍ବିନୀଙ୍କୁ ନିର୍ଯ୍ଯାତନା ଦେଇ ଆସୁଥିଲେ । ଏହାକୁ ନେଇ ୨୪ମସିହାରେ ଉଭୟପକ୍ଷକୁ ନେଇ ଥାନାରେ ବୁଝାମଣାପତ୍ର ହୋଇଥିଲା । ବିବାହ ସମୟରେ ବକ୍ସି ଭୂବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିବାବେଳେ ପରେ ଚାକିରୀ ଛାଡି ବେଲଦ୍ବାରରେ ଏକ ଫାର୍ମହାଉସ କରି ସ୍ତ୍ରୀପିଲାଙ୍କୁ ନେଇ ରହୁଥିଲେ । ସେଠାରେ ମଧ୍ଯ ଉଭୟଙ୍କ ମଧ୍ଯରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ତପସ୍ବିନୀଙ୍କ ପରିବାର ଲୋକ କହିଛନ୍ତି । ଗତକାଲି ରାତିରେ ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ପରେ ବକ୍ସି ସ୍ତ୍ରୀ ତପସ୍ବିନୀଙ୍କୁ ମାରି ହାତବାନ୍ଧିଦେଇ ଫାର୍ମହାଉସ୍ ଭିତରେ ଥିବା ପୋଖରୀକୁ ଫିଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତପସ୍ବିନୀ ପୋଖରୀକୁ ଡେଇଁ ଆତ୍ମହତ୍ଯା କରିଥିବା ବକ୍ସି ବିଳମ୍ବିତ ରାତିରେ ତପସ୍ବିନୀଙ୍କ ମାଙ୍କୁ ଫୋନ କରି ଜଣାଇଥିଲେ । ଖବରପାଇ ଓଡଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ପୋଖରୀରୁ ମୃତଦେହ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଓଡଗାଁ ପୋଲିସ ବକ୍ସିକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ