

ରାଜଗାଙ୍ଗପୁର :- (କ.ବ୍ୟୁ.) ଜେଏସଡବ୍ଲୁ ଶିବା ସିମେଣ୍ଟ ପକ୍ଷରୁ କୁତ୍ରା ସ୍ଥିତ ଶ୍ରୀ ଅରବିନ୍ଦ ଦିବ୍ୟଜ୍ୟୋତି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଏକ ଶିଶୁ ପାର୍କ ନିର୍ମାଣ କରାଯାଇଥିବା ବେଳେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା କଳ୍ପନା ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଏହା ଉଦଘାଟିତ ହୋଇଯାଇଛି। ଏହାର ଉଦ୍ଘାଟନୀ ସମାରୋହରେ ଵିଶେଷ ଅତିଥି ଭାବରେ ଜେଏସଡବ୍ଲୁ ଶିବା ସିମେଣ୍ଟ ସିଏସଆର ବିଭାଗ ଅଧୀକ୍ଷକ ଅଲେଖ କୁମାର ଦଳାଇ, ଲିମାରୋଜ ଲାକରା, ଏଚଆର ବିଭାଗ ଅଧିକାରୀ ଦେବୀ ପ୍ରସାଦ ନାୟକ, ନେହା ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥି ଶ୍ରୀ ଦଳାଇ ଶିବା ସିମେଣ୍ଟ କାରଖାନା ଏବଂ ଏହାର ସିଏସଆର ବିଭାଗ ଏହି ଅଞ୍ଚଳର ପାରିପାଶ୍ୱିକ ବିକାଶ ପାଇଁ ବିଶେଷ କରି ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକର ବିକାଶ ପାଇଁ କାର୍ଯ୍ୟ କରି ଆସିଥିବା ବେଳେ ଏହି ଶିକ୍ଷା କେନ୍ଦ୍ରରେ ପିଲାଙ୍କ ପାଇଁ ଏହି ପାର୍କ ନିର୍ମାଣ କରିଛି ବୋଲି କହିଥିଲେ। ଶିବା ସିମେଣ୍ଟ ପ୍ରଦତ୍ତ ଶିଶୁ ପାର୍କକୁ ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ସଭାପତି ଶିବ ଶଙ୍କର ବେହେରା ଓ ସମ୍ପାଦକ ଦେବେନ୍ଦ୍ର କୁମାର ପୁରୋହିତ ପ୍ରଶଂସା କରିବା ସହ ଏହାଦ୍ୱାରା ପିଲାଙ୍କ ଶାରୀରିକ ବିକାଶ ହେବା ସହ ଶିଶୁ ମାନେ ମନୋରଞ୍ଜନ କରିପାରିବେ ବୋଲି କହିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ମହେନ୍ଦ୍ର ସିଂ, କମିଟିର ସଦସ୍ୟ ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )