



କଟକ: ୧୩ /୦୮ : କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବିଭିନ୍ନ ସ୍ଥାନରେ ଜାରି ରହିଛି ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏହି ଅଭିଯାନରେ ସାମିଲ ହୋଇ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ଆଜି କଟକ ମହାନଗର ସ୍ଥିତ ଟାଉନ ହଲ ପରିସରରେ ଥିବା ଆର୍ଟ ଗ୍ୟାଲେରୀରେ ଏକ ତ୍ରିରଙ୍ଗା ପ୍ରଦର୍ଶନୀ ଉଦଘାଟିତ ହୋଇଛି । କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ପ୍ରଦର୍ଶନୀରେ ଭାରତୀୟ ଜାତୀୟ ପତାକା ‘ତ୍ରିରଙ୍ଗା’ର ଗୌରବମୟ ଇତିହାସ ଓ ଏହାର ବିକାଶର ବିଭିନ୍ନ ପର୍ଯ୍ୟାୟକୁ ଚିତ୍ର ଓ ତଥ୍ୟ ମାଧ୍ୟମରେ ଉପସ୍ଥାପନ କରାଯାଇଛି । ଦେଶର ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ୱାଧୀନ ଭାରତର ବିଭିନ୍ନ ଐତିହାସିକ ଓ ଗୌରବମୟ ମୁହୂର୍ତ୍ତରେ ତ୍ରିରଙ୍ଗାର ଭୂମିକାକୁ ଏଠାରେ ପ୍ରଦର୍ଶିତ କରାଯାଇଛି । ଦେଶର ବିଭିନ୍ନ ପ୍ରମୁଖ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଗର୍ବର ସହ ଉଡ଼ୁଥିବା ତ୍ରିରଙ୍ଗାର ଛବି ବା ଚିତ୍ର ଓ ଏହାସହ ଜଡ଼ିତ ଘଟଣାବଳୀ ମଧ୍ୟ ପ୍ରଦର୍ଶିତ ହୋଇଛି ।
ତ୍ରିରଙ୍ଗାର ତିନୋଟି ରଙ୍ଗ ନାରଙ୍ଗୀ, ଧଳା ଓ ସବୁଜର ଅର୍ଥ ଓ ବିଶେଷତ୍ୱକୁ ସରଳ ଏବଂ ଆକର୍ଷଣୀୟ ଭାବେ ଦର୍ଶାଯାଇଛି । ଏଥିସହିତ ଜାତୀୟ ପତାକାର ମଧ୍ୟଭାଗରେ ଥିବା ଅଶୋକ ଚକ୍ରର ଐତିହାସିକ ଓ ପ୍ରତୀକାତ୍ମକ ମହତ୍ତ୍ୱ ସମ୍ପର୍କରେ ମଧ୍ୟ ଦର୍ଶକମାନଙ୍କୁ ଅବଗତ କରାଯାଇଛି । ବିଶେଷକରି ଅଶୋକ ଚକ୍ରର ୨୪ ଟି ବିଶେଷତ୍ଵ ଏଠାରେ ପ୍ରଦର୍ଶିତ ହୋଇଛି ।


ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ରହିଛି ‘ମୋମେଣ୍ଟସ୍ ୱିଥ୍ ତ୍ରିରଙ୍ଗା’ । ଦେଶବାସୀଙ୍କ ଜୀବନରେ ତ୍ରିରଙ୍ଗା ସହ ଜଡ଼ିତ ଗର୍ବ, ଆନନ୍ଦ ଓ ଭାବନାପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ଏହି ବିଭାଗରେ ଉପସ୍ଥାପନ କରାଯାଇଛି । ସେହିପରି ‘ନୋ ୟୁରୋ ତ୍ରିରଙ୍ଗା’ ମାଧ୍ୟମରେ ଜାତୀୟ ପତାକାର ସଠିକ୍ ବ୍ୟବହାର, ସମ୍ମାନ ଓ ତ୍ରିରଙ୍ଗା ସମ୍ପର୍କିତ ଜାଣିବାକୁ ଥିବା ବିଭିନ୍ନ ତଥ୍ୟକୁ ସରଳ ଭାବେ ଉପସ୍ଥାପିତ କରାଯାଇଛି ।
ଏହା ବ୍ୟତୀତ ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଓ ଏହାର ସ୍ରଷ୍ଟା, ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ଏହା ସହ ଜଡ଼ିତ ଐତିହାସିକ ତଥ୍ୟ ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇଛି । ଦେଶର ସ୍ୱାଧୀନତା ଆନ୍ଦୋଳନ, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଏବଂ ଜାତୀୟ ପ୍ରତୀକଗୁଡ଼ିକର ମହତ୍ତ୍ୱକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ପ୍ରଦର୍ଶନୀ ମାଧ୍ୟମରେ ଯୁବପିଢ଼ି, ଛାତ୍ରଛାତ୍ରୀ ଓ ଜନସାଧାରଣ ତ୍ରିରଙ୍ଗାର ଇତିହାସ, ଏହାର ମହତ୍ତ୍ୱ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇବେ । ତ୍ରିରଙ୍ଗା କେବଳ ଏକ ଜାତୀୟ ପତାକା ନୁହେଁ, ଏହା ଭାରତର ସ୍ୱାଧୀନତା, ଏକତା, ଗଣତନ୍ତ୍ର ଓ ଅଖଣ୍ଡତାର ପ୍ରତୀକ। ଏହି ଭାବନାକୁ ଲୋକମାନଙ୍କ ମନରେ ଅଧିକ ଦୃଢ଼ କରିବାରେ ଏହି ପ୍ରଦର୍ଶନୀ ଏକ ଉଲ୍ଲେଖନୀୟ ପ୍ରୟାସ ।
କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀକୁ ଦେଖିବା ପାଇଁ ସହରବାସୀ, ଛାତ୍ରଛାତ୍ରୀ ଓ ଦେଶପ୍ରେମୀ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି । ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ସହ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତାକୁ ପ୍ରତ୍ୟେକ ଘର ଓ ପ୍ରତ୍ୟେକ ହୃଦୟରେ ପହଞ୍ଚାଇବା ହେଉଛି ଏହି ଅଭିଯାନର ଲକ୍ଷ୍ୟ ।
ଏହି କାର୍ଯକ୍ରମରେ କେଏମସି କମିଶନର ସୁଶ୍ରୀ କିରନଦୀପ କୌର ସହୋତା, ସାଂସ୍କୃତିକ ଓ ଚିତ୍ତ ବିନୋଦନ ଷ୍ଟାଣ୍ଡିଂ କମିଟି ଅଧକ୍ଷା ଶ୍ରୀମତୀ ମୋନାଲିସା ଦାସ. ସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମୂଳିଆ, ଲାଇସେନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ. ଶ୍ରୀଦେବୀ, କେଏମସିର କର୍ପୋରେଟର ଶ୍ରୀମତି ବନଲତା ପ୍ରଧାନ, ଯୁଗ୍ମ କମିଶନର ବର୍ଣ୍ଣେନ୍ଦୁ ମହାନ୍ତି, ଡେପୁଟି କମିଶନର ଜୁବୁଲି ଚରଣ ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମ୍ୟୁନିସିପାଲିଟି ମଡେଲ୍ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଦର୍ଶନୀ ବୁଲିଦେଖିବା ସହ ଜ୍ଞାନ ଆହରଣ କରିଥିଲେ ।
ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବିଜୁ ଭବନ ଓ ବିକାଶ ଭବନ ପରିସରରେ ସେଲଫି ବୁଥ୍ ସ୍ଥାପନ କରାଯାଇଛି । ଜନସାଧାରଣ ଏଥିରେ ଫଟୋ ଉଠାଇ ସରକାରଙ୍କ ଦ୍ଵାରା ପ୍ରଦତ୍ତ ନିର୍ଦ୍ଧାରିତ ପୋର୍ଟାଲରେ ଅପଲୋଡ୍ କରୁଛନ୍ତି ।