ଶହ ଶହ ଏକର ଚାଷଜମି ଜଳମଗ୍ନ, ଚାଷୀ ମୁଣ୍ଡରେ ଚଡକ

ବଡ଼ଚଣା : ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡିଆ, ବରଦା, ପଲାଇ, ଭରତପୁର ଓ ବିକ୍ରମତିରଣ ପଂଚାୟତର ଶହ ଶହ ଏକର ଚାଷଜମି ଗୋବରୀ ନଦୀର ବନ୍ୟା ଜଳରେ ଜଳମଗ୍ନ ହୋଇଅଛି | ଦୁଇତିନି ଦିନ ହେବ ପ୍ରବଳ ଲଗାଣ ବର୍ଷା ଫଳରେ ମାତକାତପୁର ଡ୍ରେନେଜ କଟରେ ଜଳ ନିଷ୍କାସନ ହୋଇପାରୁନାହିଁ | ଯାହାଫଳରେ ଧାନରୁଆ ଚାଷଜମି ମାନଙ୍କରେ ଫୁଟରୁ ଦୁଇ ଫୁଟ ପାଣି ଜମିରହିଛି | ଧାନରୁଆ ସହିତ ତଳି ଘେରା ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ଗୋବରୀ ନଦୀ ସରକାରୀ ସ୍ଥରରେ ନଦୀର ମାନ୍ୟତା ପାଇ ନଥିବାରୁ ଚାଷୀ ମାନଙ୍କୁ ସରକାରୀ ସ୍ଥରରେ ସହଯୋଗ ମିଳୁନାହିଁ | ଚାଷୀମାନେ ସମବାୟ ସମିତିରୁ ଋଣ କରିବାସହ ଧାର କରଜ କରି ଚାଷ କାମ କରିଥିଲେ | ଏବେ ନୂତନ ଭାବେ ତଳି ପକାଇ ଧାନ ରୋଇ କୌଣସି ପ୍ରକାର ଧାନଚାଷ କରିବା ସମ୍ଭବପର ନୁହେଁ | ଏଭଳି ପରିସ୍ଥିତିରେ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି | ତେବେ ଆଗାମୀ ଦିନଗୁଡ଼ିକରେ ପ୍ରବଳ ବର୍ଷା ହେବାର ପାଣିପାଗ ପକ୍ଷରୁ ସୂଚନା ମିଳିବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି | ଉପରୋକ୍ତ ପଂଚାୟତ ଗୁଡିକରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ନକୁଳ ପ୍ରଧାନ ପହଂଚି ଜଳମଗ୍ନ ଚାଷଜମି ଗୁଡିକୁ ବୁଲି ଦେଖିଥିଲେ | ସେଠାରେ ଉପସ୍ଥିତ ଚାଷୀମାନଙ୍କୁ ଏହି ପଂଚାୟତ ଗୁଡିକୁ ବନ୍ୟାପ୍ଲାଵିତ ଘୋଷଣା କରାଯିବ ବୋଲି ତହସିଲଦାର ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ | ପୂର୍ବତନ ସରପଂଚ ଦମୟନ୍ତୀ ସାମଲ, ରବୀନ୍ଦ୍ର କୁମାର ବେହୁରା, ଦେବେନ୍ଦ୍ର କୁମାର ସାମଲ, ରମାକାନ୍ତ ପ୍ରଧାନ, ଦେବଦତ ସାମଲ, ଗଗନ ବିହାରୀ ସ୍ୱାଇଁ, ଶ୍ରୀକାନ୍ତ ସାମଲ, ଦିପ୍ତୀରଂଜନ ବେହୁରା, ବସନ୍ତରାଜ ସାମଲ, ଅଜିତ କୁମାର ପ୍ରଧାନ, ମହେନ୍ଦ୍ର ସିଂ, ଉମେଶ ଚନ୍ଦ୍ର ସାମଲ, ପ୍ରମୋଦ ମଲିକ, ନାରାୟଣ ମଳିକ, ବାବୁରାମ ମଳିକ, ନିକୁଞ୍ଜ ପ୍ରଧାନ, ମନୋରଞ୍ଜନ ବେହୁରା, ମନୋଜ ପ୍ରଧାନ, କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଚାଷୀମାନେ କୃଷି ଋଣ ଛାଡ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *