
କଟକ ତା ୦୩.୦୮.୨୦୨୬ : କଟକ ଜିଲ୍ଲାର ଡମପଡା ବ୍ଲକ୍ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଜାତମୁଣ୍ଡିଆ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅଭିଯୋଗ ଶୁଣାଣି କାଳରେ ବିିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ନିଜର ଅସୁବିଧା ଓ ଦାବିଗୁଡିକ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଆଜି ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୯୩ ଟି ଅଭିଯୋଗ ହସ୍ତଗତ ହୋଇଥିଲା । ତନ୍ମଧ୍ୟରେ ୭୯ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୪ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୪୨ଟି ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଅନ୍ୟାନ୍ୟ ଅଭିଯୋଗଗୁଡିକ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ନିମେନ୍ତ ଗୋଟିଏ ଆବେଦନ ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିନାକ୍ଷୀ ଠାକୁର, ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଅଂଶୁମାନ ଦାଶ, ତହସିଲଦାର ଡମପଡା ବୈଶାଖୀ ଲେଙ୍କା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବିରରେ ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପ୍ରାଣୀ ସମ୍ପଦ ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗ ସମ୍ପର୍କରେ ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଆସନ୍ତା ୧୦ ତାରିଖରେ କଟକ ସଦର ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।