
ବାରିପଦା, (୦୩/୦୮):
ବାରିପଦା ସହରର ଭିତ୍ତିଭୂମି ବିକାଶକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦୁଇଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ‘ଉନ୍ନତି ଯୋଜନା’ ଅନ୍ତର୍ଗତ ଜନସାଧାରଣଙ୍କ ଦୀର୍ଘଦିନର ଦାବି ଓ ଅଭିଯୋଗର ସମାଧାନ ପାଇଁ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି ।
ଏହି ଅବସରରେ ମନ୍ତ୍ରୀ ବାରିପଦା ପୌରପାଳିକାର ୩ ନମ୍ବର ୱାର୍ଡ ଅନ୍ତର୍ଗତ ବାଘଡ଼ା ରୋଡ଼ଠାରୁ ଶନିମନ୍ଦିର ପର୍ଯ୍ୟନ୍ତ ନିର୍ମିତ ରାସ୍ତା ଏବଂ ଶୁକଯୋଡ଼ା ନାଳ ଉପରେ ନିର୍ମିତ ପୋଲର ଆନୁଷ୍ଠାନିକ ଲୋକାର୍ପଣ କରିଥିଲେ । ପ୍ରାୟ ୪୮ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ସହ ଜନସାଧାରଣଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିବ ।
ସେହିପରି, ବାରିପଦା ପୌରପାଳିକାର ୨୫ ଓ ୨୮ ନମ୍ବର ୱାର୍ଡବାସୀଙ୍କ ପ୍ରାୟ ୪୦ ବର୍ଷର ଦୀର୍ଘଦିନର ଦାବି ପୂରଣ ଦିଗରେ ପାଲବଣୀ ୧୮ ନମ୍ବର ଜାତୀୟ ରାଜପଥଠାରୁ ନିକୋ ଅଫିସର ପଛପଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪୮ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟରେ ଶିଳାନ୍ୟାସ କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉକ୍ତ ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆସିବା ସହ ସ୍ଥାନୀୟ ବାସିନ୍ଦାମାନେ ଉପକୃତ ହେବେ ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ଉନ୍ନତ ନାଗରିକ ସେବା ଯୋଗାଇବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ‘ଉନ୍ନତି ଯୋଜନା’ ମାଧ୍ୟମରେ ଦୀର୍ଘଦିନର ଅମୀମାଂସିତ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରାଯାଉଛି । ବାରିପଦା ସହରର ସନ୍ତୁଳିତ ଓ ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ଦିନରେ ମଧ୍ୟ ଅଧିକ ଜନକଲ୍ୟାଣମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷ ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ସମେତ ସ୍ଥାନୀୟ ଜନପ୍ରତିନିଧି, ପୌରପାଳିକା ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।