

ପୁରୀ, ୩୧ ଜୁଲାଇ ୨୦୨୬(କ ବ୍ୟୁ) : ପୁରୀ ଜିଲ୍ଲାର ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ତଥା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗର କମିଶନର-କମ୍-ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, IAS ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନାମିକା ସିଂହ ଆଜି ପୁରୀ ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ(SIR) କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲାର ୬ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ଡେପୁଟି କଲେକ୍ଟର(ନିର୍ବାଚନ) ସୁଶ୍ରୀ ରୁନିତା ପ୍ରଧାନ ଏବଂ କିଛି ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ (AERO) ସହ ସମୀକ୍ଷା ବୈଠକ କରିଥିଲେ। ବୈଠକରେ SIR କାର୍ଯ୍ୟର ଅଗ୍ରଗତି, ନୋଟିସ୍ ଜେନେରେଟ, ଶୁଣାଣି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିର୍ବାଚନୀ ତାଲିକା ପୁନରୀକ୍ଷଣ, ଇଲେକ୍ଟର ମ୍ୟାପିଂ ଏବଂ ବିଭିନ୍ନ ଅସଙ୍ଗତି ସମ୍ପର୍କିତ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ପରେ ସେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ବୁଥ୍ ଲେଭେଲ୍ ଏଜେଣ୍ଟ (BLA)ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ପରବର୍ତ୍ତୀ ସମୟରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ୧୦୭–ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏକ ଶୁଣାଣି କେନ୍ଦ୍ର ପରିଦର୍ଶନ କରି ସେଠାରେ BLO, BLO ସୁପରଭାଇଜର ଏବଂ ପୁରୀ ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ-କମ୍-AERO ଶ୍ରୀ ଅର୍ଜିତ ନାୟକଙ୍କ ସହ ଆଲୋଚନା କରି ଶୁଣାଣି ପ୍ରକ୍ରିୟା ଓ କ୍ଷେତ୍ରସ୍ତରରେ SIR କାର୍ଯ୍ୟର ସମୀକ୍ଷା କରିଥିଲେ।
ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଉଭୟେ SIR କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିବା ସହ BLOମାନଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟ, ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ସେମାନଙ୍କର ଆଗ୍ରହ ଏବଂ ୧୦୭–ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ କରାଯାଇଥିବା ସୁବ୍ୟବସ୍ଥିତ ଶୁଣାଣି ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ।
(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )