“କପ୍ତିପଦା ଉପଖଣ୍ଡସ୍ତରୀୟ ଓଡ଼ିଶା ଦିବସ ଉଦଳା ଠାରେ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ”

ଉଦଳା , ତା ୧୭/୦୩ /୨୦୨୬ : କପ୍ତିପଦା ଉପଖଣ୍ଡସ୍ତରୀୟ ୯୧ ତମ ଓଡ଼ିଶା ଦିବସ – ୨୦୨୬ ଉଦଳା ଠାରେ ପାଳନ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତ କାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ କପ୍ତିପଦା, ଉଦଳା ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉକ୍ତ ବୈଠକରେ ଉଦଳା ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ ନରେନ୍ଦ୍ର ଖମାରୀ, ଡ଼େପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଠା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସରୋଜ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ, ବେସରକାରୀ ସଦସ୍ୟ, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନଧି ପ୍ରମୁଖ ଯୋଗ ଦେଇ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା କ୍ରମେ ଓଡ଼ିଶା ଦିବସ ପାଳନର ଏକ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । ଓଡ଼ିଶା ଦିବସ ଦିନ ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରାଞ୍ଚଳରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ପ୍ରଭାତ ଫେରୀ ଶୋଭାଯାତ୍ରାରେ ବାହାରି ସକାଳ ୭ ଘଟିକା ସୁଦ୍ଧା ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ନିକଟରେ ଉପସ୍ଥିତ ହେବେ । ଛାତ୍ର ଛାତ୍ରୀଙ୍କ ଗହଣରେ ଉପସ୍ଥିତ ଅତିଥି ବୃନ୍ଦ ଉତ୍କଳ ଗୌରବ ମଧୁସୂଦନ, ବୀର ବିର୍ସା ମୁଣ୍ଡା, ଅଟଳ ବିହାରୀ ବାଜପେୟୀ, ଡ଼ଃ ବି.ଆର. ଆମ୍ବେଦକର ଏବଂ ଉତ୍କଳମଣୀ ଗୋପବନ୍ଧୁ ଆଦିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିସାରିବା ପରେ ସର୍ବ ଶେଷରେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ମହାବିଦ୍ୟାଳୟ ପରିସରରେ ସାଧାରଣସଭା ଆୟୋଜନ କରାଯିବ । ଏହି ଅବସରରେ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହେବାକୁ ସ୍ଥିର କରାଗଲା । ଉପଖଣ୍ଡର ଚାରି ଗୋଟି ବ୍ଲକ ସ୍ତରରେ ଉକ୍ତ ପ୍ରତିଯୋଗିତା ପୂର୍ବରୁ ଆୟୋଜନ କରି ପ୍ରତ୍ୟେକ ବିଭାଗରୁ ସର୍ବଶ୍ରେଷ୍ଠ ଜଣେ କୃତି ପ୍ରତିଯୋଗୀଙ୍କ ନାମ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ନୋଡ଼ାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ନୋଡ଼ାଲ ମହାବିଦ୍ୟାଳୟ ମାନେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବେ । ସାଧାରଣ ସଭା ପରିସରରେ ଉପରୋକ୍ତ କୃତି ପ୍ରତିଯୋଗୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇ ଉପଖଣ୍ଡସ୍ତରୀୟ ସର୍ବଶ୍ରେଷ୍ଠ କୃତି ପ୍ରତିଯୋଗୀ ଚୟନ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ସଭାକାର୍ଯ୍ୟ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ, ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପ ଅର୍ପଣ ତଥା ବରପୁତ୍ରମାନଙ୍କ ଫଟୋଚିତ୍ରରେ ଧୂପ, ଦ୍ୱିପ, ସୁମନ ପ୍ରଦାନ କରାଯିବା ପରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯିବ । ତତ୍‌ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ପରେ ସାଧାରଣ ସଭା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ଉଦଳା ଏନ.ଏ.ସି. ତରଫରୁ ସ୍ୱତନ୍ତ୍ର ସହର ସଫେଇ, ପ୍ରତିମୂର୍ତ୍ତି ସ୍ଥଳ ସଫେଇ ତଥା ଆଲୋକ ବ୍ୟବସ୍ଥା, ଛାତ୍ର ଛାତ୍ରୀଙ୍କ ନିମନ୍ତେ ବିସ୍କୁଟ ବ୍ୟବସ୍ଥା ଆଦି କାର୍ଯ୍ୟ କରାଯିବା ସହିତ ୱାଟକୋ ବିଭାଗ ତରଫରୁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ପ୍ରସ୍ତୁତି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼େପୁଟୀ କଲେକ୍ଟର ପ୍ରତୀକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଅଜିତ ମହାପାତ୍ର, କରୁଣାକର ମହାନ୍ତ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଭବାନୀ ପଣ୍ଡା, ଇଭାନ ଦଳେଇ ଓ ଦୁସ୍ମନ୍ତ ନାଏକ ପ୍ରମୁଖ ପ୍ରସ୍ତୁତି ବୈଠକ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *