
ବାରିପଦା-ଉଦଳା(କ:ବ୍ଯୁ) ୦୮/୦୨/୨୦୨୬ ଉଦଳା ବ୍ଲକ ଅଧୀନରେ ଥିବା ସଂସ୍କୃତି ସମ୍ପନ୍ନ ଗ୍ରାମ ଭାବେ ପରିଚିତ ଡ଼ିହିରାକୁଳ ଗ୍ରାମରେ ରବିବାର ସାଢେ ୧୦ ଟା ସମୟରେ ଗ୍ରାମ ଦୋଳ ମଣ୍ଡପରେ ଗୁରୁଜନ ପୂଜନର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଭାସ୍କର ଚନ୍ଦ୍ର ମଢେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଏନଏସି ଅଧ୍ୟକ୍ଷ ପ୍ରମିଳା ପଣ୍ଡା, ଅବସରପ୍ରାପ୍ତ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଥାନା ଅଧିକାରୀ ବନମାଳୀ ବାରିକ, ଉଦଳା ଏନଏସି ଉପନଗରପାଳ ଲିଲି ଭୋଳ, ମୟୁରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରଦୀପ୍ତ କିଶୋର ପଣ୍ଡା, ସମ୍ପାଦକ ଡ଼. ଶ୍ୟାମ ସୁନ୍ଦର ଦାସ ପ୍ରମୁଖ ଯୋଗ ଦେଇ ଆଜିର ସାଂସ୍କୃତିକ ଓ ନୈତିକତା ଅବକ୍ଷୟମୁଖୀ ସମାଜ ପାଇଁ ଗୁରୁଜନ ପୂଜନ କାର୍ଯ୍ୟକ୍ରମର ଉପାଦେୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଗୁରୁଜନ ମାନଙ୍କ ଅଭିଜ୍ଞତା ପୂର୍ଣ୍ଣ ଜୀବନ, ସେମାନଙ୍କ ଉପଦେଶ କେବଳ ସେମାନଙ୍କ ଘର ପାଇଁ ନୁହେଁ ସମାଜ ପାଇଁ ମଧ୍ୟ ତାଙ୍କର ବାର୍ତ୍ତା ପଥ ପ୍ରଦର୍ଶକ ହୋଇଥାଏ। ଗୁରୁଜନମାନେ ଆମ ସମାଜ ପାଇଁ ବୋଝ ନୁହଁନ୍ତି ସେମାନଙ୍କୁ ଅବହେଳା ଓ ଉପେକ୍ଷା କଲେ ଆମ ଭବିଷ୍ୟତ କେବେ ମଙ୍ଗଳମୟ ହେବ ନାହିଁ। ମାତା ପିତା ଆମର ଜୀବନ୍ତ ଦେବତା ସେମାନଙ୍କ ସେବା ହିଁ ଠାକୁରଙ୍କ ପ୍ରକୃତ ପୂଜା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆୟୋଜିତ ଏହି ଗୁରୁଜନ ପୂଜନ କାର୍ଯ୍ୟକ୍ରମରେ ଗ୍ରାମର ଶ୍ରୀ ଜଗନ୍ନାଥ ଶିଶୁ ମନ୍ଦିର, ସାଗର ଡ୍ୟାନ୍ସ ଏକାଡେମୀ ଏବଂ ଗୋପୀନାଥ ଜୀଉ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ମାତାପିତାଙ୍କ ପାଇଁ ଆମର କର୍ତ୍ତବ୍ୟ ଆଧାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଗୁରୁଜନ ପୂଜନ ଉତ୍ସବରେ ଗ୍ରାମରେ ଥିବା ୬୦ ବର୍ଷ ରୁ ଉର୍ଦ୍ଧ୍ବ ଶତାଧିକ ମହିଳା ପୁରୁଷ ଗୁରୁଜନ ତା ଛଡା କପ୍ତିପଦା ଉପଖଣ୍ଡର ବିଭିନ୍ନ ପ୍ରାନ୍ତରୁ ଗୁରୁଜନମାନେ ଯୋଗଦାନ କରିଥିଲେ। ଗୁରୁଜନ ପୂଜନ କମିଟି ସଦସ୍ୟମାନେ ଗୁରୁଜନ ମାନଙ୍କ ପାଦ ଧୋଇବା ସହିତ ପୁଷ୍ପ ଚନ୍ଦନ, ଫୁଲ ଆଦି ଦେଇ ପୂଜା କରିବା ସହିତ ଉପଢୌକନ ପ୍ରଦାନ କରିଥିଲେ। ତା ଛଡା ଜଳ ଯୋଗ, ମଧ୍ୟାହ୍ନ ଭୋଜନ ପ୍ରଦାନ ପୂର୍ବକ ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ କମିଟିର ବରିଷ୍ଠ ସଦସ୍ୟ ତଥା ସଂଯୋଜକ ରମେଶ ଚନ୍ଦ୍ର ପୃଷ୍ଟି ପରିଚାଳନା କରିଥିଲେ। ସଦସ୍ୟ ସର୍ବେଶ୍ୱର ହାତୀ, ପ୍ରଦୀପ କୁମାର ବେହେରା, ନାରାୟଣ ପୃଷ୍ଟି, ରମାକାନ୍ତ ପାତ୍ର, ଜୟନ୍ତ କୁମାର ବେହେରା, ମଧୁସୂଦନ ହାତୀ, ଦୟାନିଧି ପୃଷ୍ଟି, ପ୍ରମୋଦ ସାହୁ, ସତ୍ୟପ୍ରିୟ ସାହୁ, ପିନାକୀ ବେହେରାଙ୍କ ସମେତ ଗ୍ରାମରେ ଥିବା ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ କରାଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)