କଟକ : ରକ୍ତ ସଂଗ୍ରହ କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ଲଡ଼ ଡୋନର୍ସ କାଉନସିଲ୍ ପକ୍ଷରୁ ଆସନ୍ତା ଜାନୁଆରୀ ୨୩ ତାରିଖ ମହାନ୍ ରାଷ୍ଟ୍ରନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୂଆପଡା ସ୍ଥିତ ପତିତ ପାବନ ଜୀଉ ମନ୍ଦିର ଠାରେ କାଉନ୍ସିଲ୍ର ସଭାପତି ରାଜେନ୍ଦ୍ର କୁମାର ଚୌଧୁରୀ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଡ଼କ୍ଟର ପ୍ରଶାନ୍ତ କୁମାର ଦାଶ,ଡ଼କ୍ଟର ସୌଦାମିନୀ ନାୟକ,ହରିବନ୍ଧୁ ପତି, ପୁଷ୍ପିତା ମହାପାତ୍ର, ଶୈଳେନ୍ଦ୍ର ସ୍ୱାଇଁ, ସସ୍ମିତା ପାହାଡ଼ସିଂହ, ମନୋରମା ଦାଶ, ଗୀତାଞ୍ଜଳି ବେଉରା,ଜ୍ୟୋତି ନାରାୟଣ ମହାପାତ୍ର, ସୀମା ଦାଶ ,ମନୋଜ କୁମାର ପାହାଡ଼ସିଂହ ,ରାଜ କିଶୋର ବାଘ ପ୍ରମୁଖ ଉପସ୍ଥିତ ରହି ଏହି ମହାନ ନେତାଙ୍କ ଜୟନ୍ତୀ ଅବସରରେ ସଂଗୃହୀତ ରକ୍ତ ରେଡ଼କ୍ରସ ଭଣ୍ଡାରକୁ ଦିଆଯିବ ବୋଲି ସୂଚନା ଦେଇଥିଲେ । ଉଲ୍ଲେଖଯୋଗ୍ୟ ୨୦୦୫ ମସିହାରୁ ବ୍ଲଡ଼ ଡୋନର୍ସ କାଉନ୍ସିଲ୍ ପକ୍ଷରୁ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାରସ୍ଥିତ ନେତାଜୀ ସେବା ସଦନ(ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଆସୁଥିବା ବେଳେ ଜାନୁଆରୀ ୨୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି ।ଏଥିରେ ଅନୁଷ୍ଠାନ ର ପୃଷ୍ଠ ପୋଷକ ସଭ୍ୟ ତଥା ମାର୍ଗ ଦର୍ଶକ ସ୍ବର୍ଗତ ଭୁବନାନନ୍ଦ ମହାରଣା ଓ ପ୍ରଫେସର ଡ଼କ୍ଟର ଯୋଗିଦ୍ର ମୋହନ ସେନାପତି ଙ୍କ ସ୍ମୃତି ଉଦେଶ୍ୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ଶିବିରକୁ ଆସି ରକ୍ତଦାନ କରିବା ପାଇଁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼କ୍ଟର ଦାଶ ଅନୁରୋଧ କରିଛନ୍ତି ।