ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ବାରିପଦା(କ:ବ୍ଯୁ) ୧୦/୧୨/୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କ୍ୟାରିଅର୍ କାଉନସେଲିଂ ସେଲ୍ ଦ୍ୱାରା “ଛତୁ ଉତ୍ପାଦନ ଏବଂ ଚାଷ ପ୍ରଣାଳୀ” ଶୀର୍ଷକ ଏକ ସପ୍ତାହ ବ୍ୟାପୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯକ୍ରମ ଆଗାମୀ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥୀ ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀମାନଙ୍କର କ୍ୟାରିଅର୍ ଗଠନରେ ସହାୟକ ହେବ ଏବଂ ଏହା ସେମାନଙ୍କୁ କୃଷି ଉଦ୍ୟୋଗୀତା ଓ ସ୍ୱନିର୍ଭରଶୀଳତା ଦିଗରେ ପ୍ରୋତ୍ସାହିତ କରିବ ବୋଲି କହିବା ସହିତ ଏହି ପ୍ରକାରର ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ରୋଜଗାରଯୋଗ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓୟୁଏଟିର ପ୍ଲାଣ୍ଟ ପାଥୋଲୋଜିର ପୂର୍ବତନ ପ୍ରଫେସର ପ୍ର. କେ.ବି. ମହାପାତ୍ର କହିଥିଲେ ଯେ “ଛତୁ ଚାଷ ଏକ ଲାଭଜନକ ଓ କମ୍ ଖର୍ଚ୍ଚରେ ହେଉଥିବା କୃଷି ବ୍ୟବସାୟ ଯାହାକୁ ଯୁବପିଢ଼ି ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିବେ, ଏହି ପ୍ରକାରର ପ୍ରଶିକ୍ଷଣ ବିଶ୍ୱବିଦ୍ୟାଳୟର ଏକ ଅଗ୍ରଣୀ ଉଦ୍ୟମ ଏବଂ ଏହା ଓଡ଼ିଶାରେ ଛତୁ ଚାଷକୁ ପ୍ରୋତ୍ସାହିତ କରିବ ସହ ଯୁବକମାନଙ୍କୁ ନୂଆ ରୋଜଗାରର ମାର୍ଗ ଦେଖାଇବ । ବିଶ୍ୱବିଦ୍ୟାଳୟ ପିଏମ୍ ଉଷା ସଂଯୋଜକ ପ୍ରଫେସର ଇନ୍ଦ୍ରଜିତ ନାଏକ ନିଜ ବକ୍ତବ୍ୟରେ କ୍ୟାରିଅର୍ କାଉନସେଲିଂ ସେଲ୍‌ର ଏହି ଉଦ୍ୟମ ପିଏମ୍ ଉଷାର ମୁଖ୍ୟ ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ସଂଗତିପୂର୍ଣ୍ଣ ଏବଂ ଏହା ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଦକ୍ଷତା ପ୍ରଦାନ କରି ସେମାନଙ୍କର ରୋଜଗାର ସମ୍ଭାବନା ବଢ଼ାଇବ ବୋଲି କହିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା କ୍ୟାରିଅର୍ କାଉନସେଲିଂ ସେଲ୍ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ନାୟକ କହିଥିଲେ ଯେ ଏହି ପ୍ରଶିକ୍ଷଣରେ ଛତୁର ଜୀବବିଜ୍ଞାନ, ଚିହ୍ନଟ, ଚାଷ ପ୍ରଣାଳୀ, ସ୍ପନ୍ ଉତ୍ପାଦନ, ବ୍ୟବସାୟିକ ସୁଯୋଗ ଓ ମୂଲ୍ୟ ସଂଯୋଜନ ଉତ୍ପାଦ ବିଷୟରେ ତତ୍ତ୍ୱ ଓ ବ୍ୟବହାରିକ ଉଭୟ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି ଏବଂ କ୍ଷେତ୍ର ପରିଦର୍ଶନ ମଧ୍ୟ ଆୟୋଜନ କରାଯିବ । ଏହା ଛାତ୍ରଛାତ୍ରୀମାନଙ୍କୁ ସିଧାସଳଖ ରୋଜଗାର ସହ ଯୋଡ଼ିବ ଏବଂ ସେମାନଙ୍କର ଉଦ୍ୟୋଗୀ ମାନସିକତା ଗଢ଼ି ତୋଳିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ, ଆରଡିଏସ୍ ଡିଗ୍ରୀ କଲେଜ, ଆଞ୍ଚଳିକ ମହାବିଦ୍ୟାଳୟ ଗଡ଼ିଆ, ବାରିପଦା କଲେଜ, ଏମ୍‌ପିସି କଲେଜ ଆଦି ଅନୁଷ୍ଠାନର ବିଭିନ୍ନ ବିଭାଗର ୪୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ସମାରୋହରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *