ଓଡ଼ିଶାରେ ଲାଗୁ ହେବ ଗୋଟିଏ ରାଜସ୍ବ ଆଇନ, ଜମିପଟ୍ଟା ସଂଶୋଧନ ପାଇଁ ହଇରାଣ ହେବେନି ଲୋକେ

ପୁରୀ, (ବଳରାମ ତ୍ରିପାଠୀ ରିପୋର୍ଟ):ପୁରୀ ଏଣିକି ଜମିପଟ୍ଟା ସଂଶୋଧନ କରିବାକୁ ଜନସାଧାରଣଙ୍କୁ ହଇରାଣ ହେବାକୁ ପଡିବନି । ଓଡ଼ିଶାରେ ରହିବ ଗୋଟିଏ ରାଜସ୍ବ ଆଇନ । ଖୁବଶୀଘ୍ର ଓଡ଼ିଶା ରାଜସ୍ବ ଆଇନରେ ସଂଶୋଧନ କରାଯାଇ ଗୋଟିଏ ରାଜସ୍ବ ଆଇନ ଲାଗୁ କରାଯିବ । ଓଡ଼ିଶା ଗଭର୍ମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଖୁବଶୀଘ୍ର ଆସିବ । ଆଜି ପୁରୀ ସର୍କିଟ ହାଉସରେ ସମୀକ୍ଷା ବୈଠକ ବେଳେ ଏହି ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

ଓଡ଼ିଶାରେ ଦୀର୍ଘ ବର୍ଷ ହେବ ଜମିପଟ୍ଟା ସଂଶୋଧନକୁ ନେଇ ଲୋକମାନେ ହଇରାଣ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ଲୋକଙ୍କୁ ଆଶ୍ବସ୍ତ କରିଛି । ରାଜସ୍ବ ବିଭାଗର ନିଷ୍ପତ୍ତି ଅନୁଯାୟୀ ଏଣିକି ଲୋକମାନେ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ନିଜର ପୈତୃକ ସମ୍ପତ୍ତିର ପଟ୍ଟା ନିଜ ନାମରେ ଏଣିକି ସଂଶୋଧନ କରାଇ ପାରିବେ । ତେବେ ଏହି ବ୍ୟବସ୍ଥା ସଠିକ ଢଙ୍ଗରେ ପୁରୀ ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୁରୀ ଗସ୍ତରେ ଆସି ପୁରୀ ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ପୁରୀ ସର୍କିଟ ହାଉସ ଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ତହସିଲଦାର ମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଜମିପଟ୍ଟା ସଂଶୋଧନ ପାଇଁ ଆସୁଥିବା ବ୍ୟକ୍ତି ମାନେ କିଭଳି ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ନିଜ ଜମିଜମା ସମସ୍ୟାର ସମାଧାନ ସହିତ ପଟ୍ଟା ସଂଶୋଧନ କରାଇପାରିବେ ସେନେଇ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ରାଜସ୍ବ ମନ୍ତ୍ରୀ ପୁରୀ ଜିଲ୍ଲାପାଳ ଏବଂ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଜମିଜମା ବନ୍ଦୋବସ୍ତ ଆଇନରେ ବ୍ୟାପକ ତ୍ରୁଟି ଥିବାରୁ ଦୀର୍ଘ ବର୍ଷ ହେବ ଲୋକମାନେ ଜମିପଟ୍ଟା ସଂଶୋଧନ କରି ନପାରି ଅସୁବିଧା ଭୋଗୁଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏଣୁ ଏହାର ସରଳୀକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଓଡ଼ିଶା ରାଜସ୍ବ ଆଇନରେ ସଂଶୋଧନ କରାଯାଇ ଗୋଟିଏ ରାଜସ୍ବ ଆଇନ ଓଡ଼ିଶାରେ ଲାଗୁ କରାଯିବ । ଓଡିଶା ଗଭର୍ମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଖୁବଶୀଘ୍ର ଆସିବ । ସେହିପରି ଓଡିଶା ସର୍ଭେ ସେଟେଲମେଣ୍ଟ ଆକ୍ଟରେ ମଧ୍ୟ ଖୁବଶୀଘ୍ର ସଂଶୋଧନ ଅଣାଯିବ । ଏହି ଆଇନ ସଂଶୋଧନ ପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନଜାତି ବର୍ଗର ଲୋକମାନେ ମଧ୍ୟ ଜମିଜମା ସମସ୍ୟାକୁ ନେଇ ହେଉଥିବା ଅସୁବିଧା ଦୂର ହେବ । ଏନେଇ ତହସିଲଦାର ମାନଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ସେପଟେ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବରିଷ୍ଠ ସେବାୟତ ।

ତେବେ ପୁରୀ ସହରରେ ଥିବା ଜମିଜମା ସମସ୍ୟାର ସମାଧାନ ପାଇଁ ସମସ୍ତ ବିଭାଗ ସହିତ ଆଲେଚନା ଜାରି ରହିଥିବା ବେଳେ ପୁରୀ ସହରର ଜମିଜମା ସଂପର୍କିତ ଏକ ସବିଶେଷ ରିପୋର୍ଟ ଡିସେମ୍ବର ମାସ ଶେଷ ସୁଦ୍ଧା ପୁରୀ ଜିଲ୍ଲାପାଳ ପ୍ରଦାନ କରିବାକୁ କୁହାଯାଇଛି । ଏହି ରିପୋର୍ଟ ଆସିବା ପରେ ବିଭିନ୍ନ ଆଇନକୁ ଅଧ୍ୟୟନ କରାଯାଇ ଏବଂ ଦରକାର ପଡ଼ିଲେ ଆଇନରେ ସଂଶୋଧନ କରାଯାଇ ପୁରୀ ସହର ଏବଂ ଜିଲ୍ଲାର ଜମିଜମା ସମସ୍ୟା ସମାଧାନ କରାଯିବ ।

Leave a Reply

Your email address will not be published. Required fields are marked *