ବିଶ୍ଵ ନଦୀ ଦିବସ🙏 🌹🌪️🌊 World Rivers Day 🌪️🌊 (Last Sunday of September)

ପାହାଡ଼ ପର୍ବତ ଗିରି କି ହ୍ରଦରୁ
ଝରଣା ରୂପେ ଉତ୍ପନ୍ନ,
ସମତଳ ଭୂମି ବକ୍ଷ ଚିରି ବହେ
ନଦୀ ମାତା ସମ୍ବୋଧନ ।

ପୃଥିବୀ ଗାତ୍ରରେ ଦେଢ଼ଲକ୍ଷାଧିକ
ନଦୀ ଯେ’ ପ୍ରବହମାନ,
ତନ୍ମଧ୍ଯେ ଦକ୍ଷିଣ – ଆମେରିକାସ୍ଥିତ
ଦୀର୍ଘ ନଦୀ ଆମାଜନ ।

କୃଷ୍ଣା ଗୋଦାବରୀ ନର୍ମଦା କାବେରୀ
ମହାନଦୀ ବ୍ରହ୍ମପୁତ୍ର,
ସିନ୍ଧୁ ଆଉ ଗଙ୍ଗା ଭାରତେ ଚାରିଶ’
ନଦୀ ମଧ୍ଯରେ ବିଶିଷ୍ଟ ।

ନଦୀ ଜଳେ ଆମ ସବୁଜ ବନାନୀ
ଫଳ-ପୁଷ୍ପ ମନୋହର,
ନଦୀବନ୍ଧେ ଶିଳ୍ପ ଓ କୃଷିସମ୍ପଦ
ଜଳପ୍ରାଣୀଙ୍କ ବିହାର ।

ସେପ୍ଟେମ୍ବର ଶେଷ ରବିବାର ଆଜି
ଯେ’ ବିଶ୍ଵ ନଦୀ ଦିବସ,
ଗଙ୍ଗା ଠାରୁ ଗୋଦା- ବରୀ ନଦୀ ଆମ
ଭାରତେ ପୁଣ୍ୟ ବିଶେଷ ।

ଗଙ୍ଗା ଯମୁନା ଓ ସରସ୍ଵତୀ ପୁଣ୍ୟ
ତ୍ରିବେଣୀ ସଙ୍ଗମ ଜାଣ,
ମହା ପୁଣ୍ୟ ତୀର୍ଥ ଯେ’ ହିନ୍ଦୁସ୍ତାନର
ସ୍ନାନ’ରେ ମୋକ୍ଷ ନିର୍ବାଣ ।

ପୁଣ୍ୟ ବୈତରଣୀ ଉତ୍କଳ ଗାତ୍ରରେ
ଶ୍ରାଦ୍ଧରେ ପିତୃ-ପୁରୁଷ,
ପରମାତ୍ମା ସାଥେ ଆତ୍ମା ଯୁଗ୍ମ ପ୍ରାୟେ
ସାଗରେ ନଦୀ ହରଷ ।

ନଦୀ ପରି ବହି ଚାଲ ସେ ମାନବେ
କର୍ମ- କର୍ତ୍ତବ୍ୟେ ଚଞ୍ଚଳ,
ଗଙ୍ଗା ମାତା ପାଦେ ଅର୍ଘ୍ୟ ସମର୍ପଣେ
ଆଶିଷ ହେଉ ପ୍ରବଳ ।

Leave a Reply

Your email address will not be published. Required fields are marked *