“କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ : ୧୦୪ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ”

ବାରିପଦା-ଉଦଳା(କ:ବ୍ଯୁ) ତା. ୨୨/୦୯ /୨୫- ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୦୪ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୮୬ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୮ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୫ ଗୋଟି ସମସ୍ୟାର ତତ୍‌କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ ଜଣଙ୍କୁ ୫ ହଜାର ଲେଖାଏଁ ୧୫ ହଜାର, ଜଣଙ୍କୁ ୧୦ ହଜାର ଏବଂ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ମୋଟ ୩୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ କପ୍ତିପଦା ବ୍ଲକ ଶ୍ରୀ ସାଇ, ମାଙ୍କଡାଶୁଣୀ, ବିରାଟେଶ୍ୱରୀ, ମା ମଙ୍ଗଳା, ମା ବନଦୁର୍ଗା ଆଦି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କମ୍ ପରିମାଣର ସ୍କୁଲ ପୋଷାକ ଯୋଗାଇବା ଦାୟିତ୍ୱ ଦେଇ ଅନ୍ୟ ସଂସ୍ଥାକୁ ଅଧିକ ଯୋଗାଇବା ଦାୟିତ୍ୱ ଦେବା, ଝୀଙ୍କପଦା, ବଣିଆଗାଁ, ସୌଭାଗ୍ୟଦେଇପୁର, ମାଛିଆ ଏବଂ ସୁଡୁସୁଡିଆ ରାଜସ୍ୱ ଗ୍ରାମକୁ କପ୍ତିପଦା ଏନଏସି ସ୍କେଚ୍ ମ୍ୟାପରୁ ବାଦ ଦେବା, ତଳିଆ ଗ୍ରାମର କୌଣସି ରାସ୍ତା ତଥା ଜମି ମାପ ନ କରିବା, ଗୌଡଗାଁ, କୁଆଗୋଠଣା, ନଛିପୁର ଏବଂ ଚୁଇଁପୋଷି ଗ୍ରାମରେ ବୁଲା ଷଣ୍ଢ ଚାଷ ନଷ୍ଟ କରୁଥିବାରୁ ସେମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାରୀ ସ୍ତରରେ ନେବା,ମାଙ୍କଡାପଡା ପଞ୍ଚାୟତ ପୋଷିସାହି ରୁ ଗୟଳମରା ରାସ୍ତା ନିର୍ମାଣ, ଗୋପବନ୍ଧୁନଗର ବ୍ଲକ ତଳକଡଦା ଗ୍ରାମରେ ଏସଟି ପ୍ରାର୍ଥୀନି ନ ଥିବା ହେତୁ ଅଙ୍ଗନବାଡି କେନ୍ଦ୍ର ପାଇଁ ଏସସି ପ୍ରାର୍ଥୀନୀ ଶିକ୍ଷୟିତ୍ରୀ ଚୟନ ନିମନ୍ତେ ଆଦେଶ ପ୍ରଦାନ, କୁଡିଆଖୁଣ୍ଟା ରୁ ରଣାସାହି ଗ୍ରାମ୍ୟ ରାସ୍ତା ଚିହ୍ନଟ, କୁଡିଆଖୁଣ୍ଟା ଗ୍ରାମର ଢୋକ୍ରା କାରିଗରଙ୍କୁ ବାଦ ଦେଇ ମୟୂରୀ ଏନଜିଓ ମିଥ୍ୟା ଢୋକ୍ରା କାରିଗର ପରିଚୟ ଦେଇ ଅର୍ଥ ଆତ୍ମସାତ କରିବା ଏବଂ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଏବଂ ମ୍ୟାନେଜିଂ କମିଟି ଦ୍ୱାରା ସରକାରୀ ଜମିକୁ ଜୋରଜବରଦସ୍ତ ଅଧିକାର କରିବା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ୍‌, ରମେଶ ପୃଷ୍ଟି, କବିତା ଖିଲାର, ସତ୍ୟ ପ୍ରକାଶ ପାତ୍ର, ଭବାନୀ ପଣ୍ଡା, କୈଳାସ ଦନୈକ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *