
ରାୟଗଡ଼ା- ରାଜ୍ୟରେ ମହିଳାମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ସହିତ ମହିଳାଙ୍କ ସୁରକ୍ଷାକୁ ନେଇ ଜିଲା ବିଜେଡ଼ି ପକ୍ଷରୁ ଡିଜିପି ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ରାୟଗଡ଼ା ଏସପି ସ୍ୱାଥି ଏସ.କୁମାରଙ୍କୁ ପ୍ରଦାନ କରିଛନ୍ତି । ବିଜୁ ମହିଳା ଜନତା ଦଳ ଜିଲା କମିଟି ପକ୍ଷରୁ ଅନୂସୟା ମାଝିଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହି ଏହି ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ରରେ ବାଲେଶ୍ୱରର ଜଣେ କଲେଜ ଛାତ୍ରୀ ଆତ୍ମଦାହ କରିଥିଲେ । ହେଲେ ତାଙ୍କ ମୃତ୍ୟୁ ପୂର୍ବରୁ ସେ ନିଜ ସମସ୍ୟା ନେଇ ସୋସିଆଲ ମିଡ଼ିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା, ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ପାଉଥିବା, ମହିଳାଙ୍କ ପ୍ରତି ଅପମାନଜନକ, ଯୌନ ଓ ଅଶାଳୀନ ମନ୍ତବ୍ୟ ଦେବା, ଗତ ୧୫ମାସ ମଧ୍ୟରେ ସରକାରୀ ସ୍କୁଲ ଏବଂ ହଷ୍ଟେଲରେ ଯୌନ ନିର୍ଯାତନା, ଓଡ଼ିଶାରେ ପ୍ରତିଦିନ ପ୍ରାୟ ୧୫ଟି ବଳାତ୍କାର ମାମଲା ପଞ୍ଜିକୃତ ଆଦି ଉପରେ ଉଦବେଗ ପ୍ରକାଶ କରିଛି ବିଜୁ ମହିଳା ଜନତା ଦଳ । ଏଭଳିକି ଗତ ୯ ମାସରେ ରାଜ୍ୟରେ ୨୦ହଜାରରୁ ଅଧିକା ମହିଳା ନିଖୋଜ ମାମଲା ପଞ୍ଜିକୃତ ହୋଇଥିବା ବେଳେ ମାତ୍ର ୭୦୪୮ଜଣଙ୍କୁ ଠାବ କରାଯାଇଥିବା ନେଇ ରହିଥିବା ସୂଚନାକୁ ହୃଦୟଙ୍ଗମ କଲେ ମହିଳାଙ୍କ ସୁରକ୍ଷା ଚିନ୍ତାଜନକ ବୋଲି ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ କହିଛନ୍ତି । ତେଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ନିରାକରଣ କଲେ ମହିଳାମାନେ ସୁରକ୍ଷିତ ରହିବେ ବୋଲି ବିଜୁ ମହିଳା ଜନତା ଦଳ ଦାବି କରିଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଜିଲା ସଭାପତି ଜଗନ୍ନାଥ ସାରକା, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ଏସଡିସି ପୂର୍ବତନ ଅଧ୍ୟକ୍ଷା ଅନୂସୟା ମାଝି, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଦେବାଶିଷ ଖାଡ଼ଙ୍ଗା, ସନ୍ତୋଷ ପାତ୍ର, ପି. ଗୌରୀ ଶଙ୍କର ରାଓ, ଇପିଲି ଧବଳେଶ୍ୱର ନାଇଡ଼ୁ, ବ୍ରଜସୁନ୍ଦର ନାୟକ, ସୁମି ହିମିରିକା, ଅମ୍ବିକା ବିଡ଼ିକା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।