“ଉଦଳା ଏନଏସିକୁ ମୁନିସିପାଲଟିର ମାନ୍ୟତା ପଇବା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ”

ବାରିପଦା-ଉଦଳା(କ:ବ୍ଯୁ)
ତା.୦୪/୦୯ – ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦର ମାନ୍ୟତା ମିଳିବା ପାଇଁ ଓଡିଶା ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ କପ୍ତିପଦା ଉଦଳାଙ୍କ ତରଫରୁ ଏକ ସର୍ବଦଳୀୟ ବୈଠକ ସନ୍ଧାନ ଗୃହ ଉଦଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ରଜନୀ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଦଳା ସମରଜିତ୍ କର, ଭୀମତାଳି, ବଡସିଙ୍ଗାରିଆ ଏବଂ ଖଲାଡିର ସରପଞ୍ଚ, ପଞ୍ଚାୟତସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଯୋଗ ଦେବା ସହିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବି ଯଥା-ଯଜ୍ଞନାରାୟଣ ମହାନ୍ତି, ପ୍ରଭାତ ପରିଡା, ବସନ୍ତ ପରିଡା, ରବିନ୍ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ନିହାର ରଞ୍ଜନ ମୋଦୀ, କମଳ ଧଳ, ଶରତ ଦାସ, ବନମାଳୀ ବେହେରା, ଲକ୍ଷ୍ମଣ ନାୟକ ଆଦି ଯୋଗ ଦେବା ସହିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଏନଏସି କର୍ମଚାରୀ ସଞ୍ଜୟ ପାଢୀ ସ୍ୱାଗତ ଭାଷଣ ଦେବା ସହିତ ଆହୁତ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ଆଲୋକପାତ କରିଥିଲେ । ଉପଜିଲ୍ଲାପାଳ କପ୍ତିପଦା ଉଦଳା ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ବୈଠକରେ ଉପଜିଲ୍ଲାପାଳ ଦୁଃଖ ପ୍ରକାଶ କରି କହିଥିଲେ କି, ୫୩ ବର୍ଷରେ ପାଦ ଦେଇଥିବା ଏନଏସିକୁ ପୌରପାଳିକାର ମାନ୍ୟତା ମିଳି ନ ପାରିବା ଏକ ପରିତାପର ବିଷୟ, ତେଣୁ ଏ ଦିଗରେ ସମସ୍ତେ ଏକଜୁଟ୍ ହୋଇ କାର୍ଯ୍ୟ କଲେ ନିଶ୍ଚିତ ସଫଳ ହେବା ଏବଂ ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ଜନସାଧାରଣଙ୍କ ସଚେତନତା ନିମନ୍ତେ ବିଭିନ୍ନ ପଞ୍ଚାୟତରେ ଗ୍ରାମସଭାର ଆୟୋଜନ, ସୀମା ନିର୍ଦ୍ଧାରଣ ଆଦି କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ଉଦଳାର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ତତ୍‌ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାହୀ ଅଧିକାରୀ ପୌରପାଳିକାରେ ସାମିଲ ହେଲେ କଣ ଲାଭ ମାନ ପାଇପାରିବେ ସେ ଦିଗରେ ସଚେତନ କରିବା ସହିତ ଏହି ସମୟରେ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଉଦଳାର ମାନ୍ୟବର ବିଧାୟକ କହିଥିଲେ କି, ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପାଳିକା ଘୋଷଣା ଦିଗରେ ପ୍ରମୁଖ ସମସ୍ୟା ହେଉଛି ଜନସଂଖ୍ୟା ଏବଂ ସୀମା ନିର୍ଦ୍ଧାରଣ, ତେଣୁ ଦଳ ମତ ନିର୍ବିଶେଷରେ ଏଥିପାଇଁ ସହଯୋଗ କରିବାକୁ ଅନୁରୋଧ କରିବା ସହିତ ୨ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ କହିଥିଲେ କି ଉଦଳାକୁ ପୌରପାଳିକାର ମାନ୍ୟତା ମିଳିବା ଏକ ବୃହତ ଉଦଳାର ସ୍ୱପ୍ନକୁ ସାକାର କରିବା ସହ ସମାନ, ତେଣୁ ଏଥିପାଇଁ ଆମେ ସମସ୍ତେ ଦଳ ମତ ନିର୍ବିଶେଷରେ ଏକଜୁଟ୍ ହୋଇ କାମ ନ କରିଲେ ଭବିଷ୍ୟତ ପିଢୀଙ୍କ ପାଖରେ ଉତ୍ତରଦାୟୀ ରହିବା । ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଦୁଃଖ ଓ କ୍ଷୋଭର ସହ ପ୍ରକାଶ କରିଥିଲେ କି, ଉଦଳାକୁ ପୌରପାଳିକାର ମାନ୍ୟତା ମିଳି ନ ଥିବା ଜାଣିବା ପରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ ଥିଲି । ଆମର କିଛି ଦୁର୍ବଳତା ପାଇଁ ଆମେ ବଞ୍ଚିତ ହୋଇଥିଲେ ମଧ୍ୟ ଆଜିର ବୈଠକରେ ସମସ୍ତଙ୍କର ଉତ୍ସାହ ଦେଖି ମୋତେ ଲାଗୁଛି ଆମେ ପୌରପାଳିକା ମାନ୍ୟତା ପାଇବାରେ ସଫଳ ହେବୁ । ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ମଧ୍ୟ ପୌରପାଳିକା ଗଠନ ସପକ୍ଷରେ ଦୃଢ ମତପୋଷଣ କରିବା ସହିତ ଏଥିପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ବୁଦ୍ଧିଜୀବିଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *