“କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ : ୧୩୪ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ”ବାରିପଦା-ଉଦଳା(କ:ବ୍ଯୁ)

ବାରିପଦା-ଉଦଳା(କ:ବ୍ଯୁ)
ତା. ୨୫/୦୮ – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୩୪ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୧୨୧ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୩ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୬ ଗୋଟି ସମସ୍ୟାର ତତ୍‌କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ ଜଣଙ୍କୁ ୫ ହଜାର ଲେଖାଏଁ ୧୫ ହଜାର, ଦୁଇ ଜଣଙ୍କୁ ୧୦ ହଜାର ଲେଖାଏଁ ୨୦ ହଜାର ଏବଂ ଜଣଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ରେଡକ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ମୋଟ ୪୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ଏନଏସି ଆହାର କେନ୍ଦ୍ର ଦାୟିତ୍ୱରେ ଥିବା ଏସ୍‌ଏଚ୍‌ଜି କୁ ପରିବର୍ତ୍ତନ କରି ଟେଣ୍ଡର ମାଧ୍ୟମରେ ନୂତନ ଏସଏଚଜି କୁ ଦାୟିତ୍ୱ ପ୍ରଦାନ, ଉଦଳା ଇଲେକ୍ଟ୍ରି ଷ୍ଟ୍ରକଚରରୁ ଦୁଗୁଧା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଏବଂ ଥାନା ଛକ ଠାରୁ ବିଶୋଳ ଛକ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି, ପହଣ୍ଡା ଗ୍ରାମର ଠାକୁରାଣୀ ଜମି ଓ ସରକାରୀ ଜମି ଜବରଦଖଲ ଉଚ୍ଛେଦ, ଶାଳଖୁଣ୍ଟା ଏସଏସଡି ଉଚ୍ଚ ବିଦ୍ୟାଳୟ ସୁଇପର, ରାତ୍ର ଜଗୁଆଳ ନିଯୁକ୍ତି, ବଡସିଙ୍ଗାରିଆ ପଞ୍ଚାୟତ ପାଗଡାଦର ଗ୍ରାମରେ ନଳକୂପ ସ୍ଥାପନ ଏବଂ ନୂତନ ରାସ୍ତା ନିର୍ମାଣ, ନାବରା କଲୋନୀରେ ବିସ୍ଥାପନ କରାଯାଇଥିବା ମୁଣ୍ଡା, ଆଦିବାସୀଙ୍କର ସାମୁହିକ ଅଭିଯୋଗ, କପ୍ତିପଦା ବ୍ଲକ ଫୁଲବାଡିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା, ନୁଦଡିହା ପଂଚାୟତ କୁକୁରଡିମା ତାଳସାହି ଗ୍ରାମ ରାସ୍ତା ଉନ୍ନୟନ କାର୍ଯ୍ୟରେ ଜାମଡିହା ପଞ୍ଚାୟତର ଫଳକ ଲାଗିଥିବାରୁ ଉକ୍ତ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ, ତଳିଆ ଗ୍ରାମର ସର୍ବସାଧାରଣ ରାସ୍ତା ଅବରୋଧକାରୀଙ୍କ କବଳରୁ ମୁକ୍ତ କରିବା, ବଣିଆଗାଁ ଗ୍ରାମକୁ କପ୍ତିପଦା ବିଜ୍ଞାପିତ ଅଞ୍ଚଳ ପରିଷଦର ବାଦ ଦେବା, ଗୋପବନ୍ଧୁନଗର ବ୍ଲକ ବାଲିଯୋଡା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ଥାସ୍ଥ୍ୟକେନ୍ଦ୍ରକୁ ବିଜୁଳି ସଂଯୋଗ ଓ ତାର ଚର୍ତୁପାଶ୍ୱର୍ରେ ନୂତନ ପାଚେରୀ ନିର୍ମାଣ, ଖୁଣ୍ଟା ବ୍ଲକ ଡେଙ୍ଗାମ ପଂଚାୟତର ମାଙ୍କିଡିଆ ସାହି ଗ୍ରାମରେ ବିଦ୍ୟୁତ୍ ସଂଯୋଗ, ନାଲୁହା ଏମଆଇପିରେ ବାକି ଥିବା କାଢା ବିଭାଗର କରନାଳୀ କଂକ୍ରିଟ୍ ବଢାଯିବା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ୍‌, ଭବାନୀ ପଣ୍ଡା, କୈଳାସ ଦନୈକ, ଅଜିତ୍ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *