“କପ୍ତିପଦା ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ଉଦଳା ଠାରେ ମହାସମାରୋହରେ ପାଳିତ”

ବାରିପଦା-ଉଦଳା (କବ୍ଯୁ)ତା୧୬/୦୮ – ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୭୯ ତମ ସ୍ୱାଧୀନତା ଦିବସ ୨୦୨୫ କପ୍ତିପଦା ଉପଖଣ୍ଡ ସ୍ତରରେ ଉଦଳା ହାଇସ୍କୁଲ ପ୍ୟାରେଡ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷ ଘ୪.୩୦ ମିନିଟ୍‌ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଉଦଳା ସହରରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳ ୭.୩୦ ମିନିଟ୍ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ବାସଗୃହମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା । ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ମଞ୍ଚକୁ ସ୍ୱାଗତ କରିଥିଲେ । ତତ୍‌ପରେ ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ମୁଖ୍ୟ ଅତିଥି ଭାବେ ପାଳନ ଉତ୍ସବରେ ଯୋଗ ଦେଇ ସକାଳ ଘ୯.୧୫ ମିନିଟ୍‌ରେ ଜାତୀୟ ପତାକା ଉତ୍ତୋଳନ ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଦଳାର ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତୀୟ ସହିଦ୍ ଯବାନମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ମୁଖ୍ୟ ଅତିଥି ଖୋଲା ଯାନରେ ପ୍ୟାରେଡ୍ ପରିଦର୍ଶନରେ ଯାଇ ଏନଏସି, ସ୍କାଉଟ୍ ସମେତ ୪୫ ଗୋଟି ପ୍ୟାରେଡ୍ ପ୍ରତିଯୋଗୀ ଦଳଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ତତ୍‌ପରେ ପ୍ୟାରେଡ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ମାଧ୍ୟମରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ତ୍ୟାଗ ସହିତ ମୟୂରଭଞ୍ଜ ଏବଂ ବିଶେଷକରି କପ୍ତିପଦା ଉପଖଣ୍ଡର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ବହୁ ସାରଗର୍ଭକ ବକ୍ତବ୍ୟ ମାନ ରଖିଥିଲେ । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ସର୍ବପ୍ରଥମେ କପ୍ତିପଦା ଉପଖଣ୍ଡର ସମ୍ମାନସ୍ପଦ ସ୍ୱାଧୀନତା ସଂଗ୍ରାମୀ ଉମାକାନ୍ତ ଜେନା, ଲୋକନାଥ ପାଣ୍ଡିଆ, ଗୋପୀନାଥ ବାରିକ ଆଦି ୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ସମାଜସେବୀ ଭାବେ ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଉମାକାନ୍ତ ଜେନା ଶାରୀରିକ ଅସୁସ୍ଥତା ଯୋଗୁଁ ଅନୁପସ୍ଥିତ ଥିବାରୁ ତାଙ୍କର ସମ୍ବର୍ଦ୍ଧନା ତାଙ୍କ ନିକଟକୁ ପଠାଯିବା ପାଇଁ ଘୋଷଣା କରାଯାଇଥିଲା । ସାଇସାଧନା ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ଭାବେ ୪ ଗୋଟି ବ୍ଲକର ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ମୋଟ ୮ ଗୋଟି ବିଦ୍ୟାଳୟକୁ ସାଇସାଧନା ଟ୍ରଷ୍ଟ ତରଫରୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମେଧାବୃତ୍ତି ସମ୍ମାନ ପ୍ରଦାନ ସ୍ୱରୂପ ହାଇସ୍କୁଲ ବୋର୍ଡ ପରୀକ୍ଷାରେ କପ୍ତିପଦା ଉପଖଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଦଳାର ଛାତ୍ର କୁମାର ସାଇସାର୍ଥକ ମଢୁଆଳଙ୍କୁ ପୂର୍ବତନ ବିଧାୟକ ୰ ଗୋଲକ ବିହାରୀ ନାଏକଙ୍କ ସ୍ମୃତିରେ ସୁବାସିନୀ ନାଏକଙ୍କ ପ୍ରଦତ୍ତ ଟ୍ରଫି ଓ ମାନପତ୍ର, ସାଇସାଧନା ଟ୍ରଷ୍ଟଙ୍କ ପ୍ରଦତ୍ତ ୩ ହଜାର ଟଙ୍କାର ଚେକ୍ ଓ ମାନପତ୍ର, ୰ହରିଶ ଚନ୍ଦ୍ର ଦାସଙ୍କ ସ୍ମୃତିରେ ସ୍ମିତା ଦାସଙ୍କ ପ୍ରଦତ୍ତ ୨ ହଜାର ଟଙ୍କା ଅର୍ଥରାଶି ଓ ମାନପତ୍ର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ୩ ଜଣ ବିଦ୍ୟାର୍ଥୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଦଳାର ଛାତ୍ର ପ୍ରୟାଙ୍କ ବାରିକ, ସମ୍ଭବ ମହାନ୍ତି ଏବଂ ପଶୁଦା ନୋଡାଲ ହାଇସ୍କୁଲର ଛାତ୍ରୀ ଦିପସିତା ମିଶ୍ର ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କାର ଚେକ୍ ଓ ମାନପତ୍ର, ତୃତୀୟ ସ୍ଥାନ ଅଧିକାର କରିଥିବା ବାପୁଜୀ ହାଇସ୍କୁଲ, ସାନବେଲାକୁଟିର ଛାତ୍ର ଦୀପଙ୍କର ବେହେରାଙ୍କୁ ୧ ହଜାର ଟଙ୍କାର ଚେକ୍ ଓ ମାନପତ୍ର ସାଇସାଧନା ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଥିଲା । ଯୁକ୍ତ ୨ ବିଜ୍ଞାନ ମେଧା ସମ୍ମାନ ସ୍ୱରୁପ କପ୍ତିପଦା ଉପଖଣ୍ଡସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କପ୍ତିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କପ୍ତିପଦାର ବିଦ୍ୟାର୍ଥୀ ରାଧାକୃଷ୍ଣ ପରିଡା, ଲିପସା ବେହେରା ଏବଂ ସାଇଗୋପାଲ କୁଲ୍‌ହାରିଙ୍କୁ ଯଥାକ୍ରମେ ୫ ହଜାର, ୩ହଜାର ଏବଂ ୨ ହଜାର ଟଙ୍କା ଅର୍ଥରାଶି ଓ ଟ୍ରଫି ସହିତ ମାନପତ୍ର ୰ତୁଳସୀ ଦାସ ସଦୁଆଳଙ୍କ ସ୍ମୃତିରେ ପତ୍ନୀ ସ୍ନେହଲତା ସଦୁଆଳଙ୍କ ତରଫରୁ ପ୍ରଦାନ କରାଯାଇଥିଲା ।
ଉକ୍ତ ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗୁଡିକ ମଧ୍ୟରେ ରୋଟାରୀ କ୍ଲବ ଉଦଳାଙ୍କ ଆନୁକୁଲ୍ୟରେ ଦେଶାତ୍ମବୋଧକ ସଙ୍ଗୀତ,ପାଳନ କମିଟି ଆନୁକୁଲ୍ୟରେ ଓଡିଆ ବକ୍ତୃତା, ଶିକ୍ଷୟିତ୍ରୀ କଳ୍ପଲତା ଦାସଙ୍କ ଆନୁକୁଲ୍ୟରେ ଓଡିଆ ପ୍ରବନ୍ଧ, ଅବସରପ୍ରାପ୍ତ ଶିକ୍ଷକ ରବିନାରାୟଣ ସ୍ୱାଇଁଙ୍କ ପୃଷ୍ଣପୋଷକତାରେ ଇଂରାଜୀ ବକ୍ତୃତା ଏବଂ ଇଂରାଜୀ ପ୍ରବନ୍ଧ ତଥା ଆମେ ଭଞ୍ଜ କଳାକାର ଉଦଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତା ଆଦିର ପୁରସ୍କାର ଓ ପ୍ରମାଣପତ୍ର ଗୁଡିକ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ପ୍ୟାରେଡ ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରତିଯୋଗୀ ଦଳଙ୍କୁ ବଣିକ ସଂଘ, ସବିତା ଶଙ୍ଖୁଆ, ସର୍ବେଶ୍ୱର ମହାପାତ୍ର, ସତ୍ୟେନ୍ଦୁ ଜେନା,ମୁକ୍ତିବାଳା ଦାସ, ଡ. ଲକ୍ଷ୍ମୀପ୍ରିୟା ବେହେରା, ହରିହର ତ୍ରିପାଠୀ, ସୁଭଦ୍ରା ପରିଡା ଏବଂ ସୁବାସିନୀ ବେହେରା ଆଦିଙ୍କ ପ୍ରଦତ୍ତ ରନିଂ ଏବଂ ସ୍ଥାୟୀ ସିଲ୍‌ଡ, ଟ୍ରଫିମାନ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ପ୍ୟାରେଡ୍ ପଡିଆରେ ଉଦଳା ବଣିକ ସଂଘ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ଏବଂ ଆଇଟିଡିଏ ଉଦଳାଙ୍କ ସହାୟତାରେ ପ୍ରସ୍ତୁତ ମିଷ୍ଟାନ୍ନ ପ୍ୟାରେଡ ପ୍ରତିଯୋଗୀ ଦଳଙ୍କୁ ବଣ୍ଟନ କରାଯାଇଥିଲା । ପ୍ୟାରେଡ୍ ପଡିଆ କାର୍ଯ୍ୟକ୍ରମ ପରିସମାପ୍ତି ପରେ ଉଦଳା ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସରରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ, ପାଳନ କମିଟି ସହିତ ଶିକ୍ଷୟିତ୍ରୀ ମନୋରମା ନାୟକ ଏବଂ ସଂଯୋଗ ସ୍କୁଲ ଅଫ୍ ନର୍ସିଂଙ୍କ ଆଂଶିକ ସହାୟତାରେ ଫଳ ଏବଂ ସେଣ୍ଟ ଯୋଶେଫ୍ ସ୍କୁଲଙ୍କ ପ୍ରଦତ୍ତ ବିସ୍କୁଟ ରୋଗୀଙ୍କୁ ବଣ୍ଟନ କରାଯାଇଥିଲା । ଉଦଳା ଉପକାରାଗାର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ଆଦି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଯୋଗ ଦେଇଥିଲେ । ଶେଷ କାର୍ଯ୍ୟକ୍ରମ ଭାବେ ଜଙ୍ଗଲ ବିଭାଗ ଏବଂ ଉଦ୍ୟାନ ବିଭାଗ ଉଦଳାଙ୍କ ମିଳିତ ସହଯୋଗରେ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନିମନ୍ତ୍ରିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ତହସିଲଦାର ଉଦଳା ସୁପ୍ରଭା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଏନଏସି ପ୍ରିୟରଞ୍ଜନ ଜେନା,ଉପ ନିବନ୍ଧକ ରଶ୍ମିତା ଜେନା, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆଦି ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଦିବସର ସମସ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରତୀକ ପଣ୍ଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାୟକ, ଉଦଳା ଥାନାର ଭାରପ୍ରାପ୍ତ ନିରୀକ୍ଷକ ବନମାଳୀ ବାରିକ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ସହକାରୀ ଜିଲ୍ଲାପାଳ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ପ୍ୟାରେଡ ପରିଚାଳନା କାର୍ଯ୍ୟକ୍ରମ ଉଦଳା ମହାବିଦ୍ୟାଳୟ ଏନସିସି ଅଧିକାରୀ ଯୋଗେଶ ମହାକୁଡ, ରାଜାରାମ ବେହେରା, ସୀତାକାନ୍ତ ମହାପାତ୍ରଙ୍କ ଦ୍ୱାରାପରିଚାଳିତ ହୋଇଥିବା ବେଳେ ଉପକାରାଗାର ଅଧିକାରୀ ଉଦଳା, ଭାରପ୍ରାପ୍ତ ନିରୀକ୍ଷକ ଉଦଳା ଥାନା ଏବଂ ଅବକାରୀ ଉପନିରୀକ୍ଷକ ଉଦଳା ପ୍ୟାରେଡ ପ୍ରତିଯୋଗିତା ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ବିଭାଗୀୟ କର୍ମଚାରୀ ଅଜିତ ମହାପାତ୍ର, କରୁଣାକର ମହାନ୍ତ, ପାଳନ କମିଟି ସଦସ୍ୟ ପ୍ରମୋଦ ଦାସ, ସନ୍ତୋଷ ବାଚ୍ଛିନୀ,କୃଷ୍ଣଚୈତନ୍ୟ ସଦୁଆଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରମେଶ ପୃଷ୍ଟି, ସତ୍ୟରଞ୍ଜନ ପାତ୍ର, ତପୁ ରଞ୍ଜନ ପାତ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ ତଥା ଏନଏସି କର୍ମଚାରୀ ଦାସରଥୀ ପରିଡା, ତ୍ରିଲୋଚନ ମୁଖୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *