ଶ୍ରାବଣ ମାସର ପ୍ରଥମ ସୋମବାର ରେ ଭୋଲାଶଙ୍କରଙ୍କୁ ଜଳାଭିଷେକ ପାଇଁ ହରିଶଙ୍କର ଠାରେ ଭକ୍ତଙ୍କ ପ୍ରବଳ ଭିଡ଼

ପାଟଣାଗଡ-୧୪/୭(ସରୋଜ କୁମାର ସାହୁ) ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପାପନାସିନୀ ଝରଣାରେ ସ୍ନାନ କରି ଜଳ ଉଠାଇ ମନ୍ଦିରକୁ ଯାଇ ଧୂପ ଦୀପ, ଫୁଲ, ଚନ୍ଦନ, ସିନ୍ଦୁର ସହ ବେଲପତ୍ର ଦେଇ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିବ ପଞ୍ଚାକ୍ଷର ମନ୍ତ୍ର ଗାନ କରି ମହାଦେବଙ୍କୁ ଜଳାଭିଷେକ କରିଥିଲେ l ପ୍ରଭୁଙ୍କ ଉପରେ ପାଣି ଢ଼ାଳିବା ପାଇଁ ବାହୁଙ୍ଗି ଭାର ଧରି ରାସ୍ତାରେ ବୋଲ ବମ ହରହର ବମ ଧ୍ୱନୀର ତାଳେ ତାଳେ ଚାଲିଥିଲେ । କାଉଡ଼ିଆମାନଙ୍କ ବୋଲ ବମ ହରହର ବମ, ବାବାମଣି ନିଅ ଟାଣି, ହରିଶଙ୍କର ବାବା ପାର କରେଗା, ଜଟିଆଧାରି ପାର କରେଗା ଆଦି ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଥିବା ବେଳେ ଏକ ସାତ୍ତ୍ୱିକ ବାତାବରଣ ସୃଷ୍ଟି ହୋଇଥିଲା । କାଉଡ଼ିଆମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଡ଼ିରେ ଡାକବାଜି ଯନ୍ତ୍ର ଦ୍ୱାରା ବୋଲବମ ଗୀତ ବାଜୁଥିବାବେଳେ କାନ୍ଧରେ ପାଣିଭାର ଧରି ଶ୍ରଦ୍ଧାଳୁଙ୍କ ପାଦ ଆଗେଇ ଚାଲିଥିଲା ଶୈବପୀଠ ଅଭିମୁଖେ । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ତରଫରୁ ଶ୍ରଦ୍ଧାଳୁ ଙ୍କ ଭିଡକୁ ଲକ୍ଷ କରି ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ବହୁମାତ୍ରା ରେ ପୋଲିସ ମୁତୟନ କରାଯାଇଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *