କବିତା ଗୋ ତୁମେ

କବିତା ଗୋ’ ତୁମେ କବିର ପ୍ରେମିକା
କବୟିତ୍ରୀର ପ୍ରେମିକ,
ଶିଶୁମାନଙ୍କର ପିତା-ମାତା ଆଉ
ଜନ-ସଂସ୍କାର ପ୍ରତୀକ ।

କବିତା ଗୋ’ ତୁମେ ଅମୃତ ବାରିଧି
ସୃଜନେ ଶୋଭା ଉଦ୍ଯାନ,
ସଭିଁଙ୍କ ଆଦର ତୋର ବିରଚନେ
ବହୁ ରୂପରେ ରଙ୍ଗୀନ ।

କବିତା ଗୋ’ ତୁମେ ପତ୍ର-ପତ୍ରିକାରେ
ପାଠ୍ଯ-ପୁସ୍ତକେ ଶୋଭନ,
ପର୍ବ-ପର୍ବାଣିର ଉତ୍ସବ-ମୁଖର
ପ୍ରଭୁ ପାଦେ ସମର୍ପଣ ।

କବିତା ଗୋ’ ତୁମେ ସତ୍ଯ ସନାତନୀ
ସାଧୁ-ସନ୍ଥଙ୍କ ସମ୍ମାନ,
ସୁସ୍ଥ ପରିବେଶ ଜାତୀୟ-ସଂହତି
ଦୁର୍ବୃତ୍ତମାନଙ୍କ ଯମ ।

କବିତା ଗୋ’ ତୁମେ ହୀରା-ନୀଳା-ମୋତି
ମାଣିକର ଅଳଙ୍କାର,
ଆଲୋକ ବର୍ତ୍ତିକା ବୈଦୂର୍ଯ୍ଯରେ ଖୋଲ
ଅନ୍ଧାରର ରୁଦ୍ଧଦ୍ବାର ।

କବିତା ଗୋ’ ତୁମେ ମାନସ ସନ୍ତାନ
କବି ମାନ-ଅଭିମାନ,
ହସ-କାନ୍ଦଭରା ସଂସାରରେ ତୁମେ
ପୁଲକାଅ ଗାନ-ତାନ ।

କବିତା ଗୋ’ ତୁମେ ଚିର ଯଉବନା
ପ୍ରେମ-ପ୍ରୀତି କୁଞ୍ଜବନ,
ସାଗରେ ଊର୍ମିଳ ନଭେ ଇନ୍ଦ୍ରଧନୁ
ସଚରାଚରେ ଗୁଞ୍ଜନ ।

କବିତା ଗୋ’ ତୁମେ ଭାବର ବାରେଣି
ଉଚ୍ଛୁଳା ତ୍ରିବେଣୀ ସ୍ରୋତ,
କବି ହୃଦୟର ଫୁଲ ଓ ଚନ୍ଦନ
ରାଜଶ୍ରୀ ଚରଣାମୃତ ।

କବିତା ଗୋ’ ତୁମେ ମୋ’ ମନ ମଦିରା
ପାନକରେ ରାତି-ଦିନ,
ଉଦ୍ଦାମ ନିଶାରେ ହୃଦ ଆଲିଙ୍ଗନେ
ବିଚିତ୍ର କରେ ସୃଜନ ।

କବିତା ଗୋ’ ତବ ଛନ୍ଦେ-ଗନ୍ଧେ ଆଜ
ବିଶ୍ବ କବିତା ଦିବସ ,
ସଂପ୍ରୀତି ଶୁଭେଚ୍ଛା ଅଭିନନ୍ଦନରେ
ଭାଷେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ
: କୋଲକାତା

Leave a Reply

Your email address will not be published. Required fields are marked *