ଆଜି ସାବିତ୍ରୀ , ଫଳ ଦର ଶୁଣି ସତ୍ୟବାନ୍ ଛାନିଆ ।

ଛତ୍ରପୁର : ୨୫.୦୫.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗ୍ରାମରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏବଂ ଜିଲ୍ଲାର ସମସ୍ତ ବଜାର ରେ ସାବିତ୍ରୀ ପାଇଁ ଫଳ ଦର ଆକାଶ ଛୁଆଁ ଦେଖିବାକୁ ମିଳିଛି । ସେହି ଭଳି ଛତ୍ରପୁର ସହର ରେ ବର୍ତ୍ତମାନ ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି । ଆଜି ସାବିତ୍ରୀ ବ୍ରତ ପାଳନ ହେବାକୁ ଥିବା ବେଳେ ଗତ ପାଞ୍ଚ ଦିନ ଠାରୁ ଆରମ୍ଭ କରି ସ୍ଥାନୀୟ ବଜାର ବେପାରରେ ମସଗୁଲ ଦେଖିବାକୁ ମିଳିଛି । ଓଡ଼ିଆ ଘରର ପ୍ରତ୍ୟେକ ସ୍ତ୍ରୀ ଲୋକ ଏହି ବ୍ରତ ପାଳନ କରିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ଏହି ବ୍ରତ ପୂର୍ବ ପୁରସ କାଳରୁ ପାଳନ କରି ଆସୁଛନ୍ତି । ତେବେ ସାବିତ୍ରୀ ବ୍ରତ ପାଇଁ ଏବେ ଘରେ ଘରେ ବିଭିନ୍ନ ସାମଗ୍ରୀ କିଣାରେ ମାହୋଲ ଦେଖିବାକୁ ମିଳିଛି । ଆଜି ସାବିତ୍ରୀ ପୂଜା ପାଇଁ ଦିନକ ଆଗରୁ ଗ୍ରାମ ଠୁ ସହର ପଯ୍ୟନ୍ତ ସମସ୍ତ ଦୋକାନ ବଜାର ଗହଳି ଦେଖିବା ସହ ଦୋକାନ ବଜାରରେ ଭିଡ ଜମୁଛି । ବଜାରରେ ଶାଢି ଠାରୁ ଆରମ୍ଭ କରି ଚୁଡ଼ି, ଫଳ ଦର ଆକାଶ ଛୁଆଁ ହୋଇପଡ଼ିଛି । କିଏ ଝିଅ ଘରକୁ ଭାର ପଠାଇବାକୁ ଯୋଜନା କରୁଛି ତ ଆଉ କିଏ ନିଜ ପାଇଁ ସାବିତ୍ରୀ ବ୍ରତ ଆବଶ୍ୟକୀୟ ସାମଗ୍ରୀ କିଣାରେ ବ୍ୟସ୍ତ ହୋଇଛନ୍ତି । ହିଞ୍ଜିଳିକାଟୁ ସହରର ବିଭିନ୍ନ ଲୁଗା ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଫଳ, ଚୁଡ଼ି ଓ ଲେଡ଼ିସ କର୍ଣ୍ଣର ଗୁଡ଼ିକରେ ଭିଡ ଜମୁଥିବାର ଦେଖିବାକୁ ମିଳୁଛି । ଶାଢି ଦୋକାନୀ ମାନେ ବିଭିନ୍ନ ଆକର୍ଶଣୀୟ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି କେତେକ ବ୍ୟବସାୟୀ ନିଜ ମନ ମୁତାବକ ଦର ଲଗାଉଥିବାର ଦେଖିବାକୁ ମିଳୁଛି । ସେହିଭଳି ସାବିତ୍ରୀ ବ୍ରତରେ ଭୋଗ ପାଇଁ ଆବଶ୍ୟକ ପଡୁଥିବା ପାଚିଲା ଫଳର ଦାମ ମଧ୍ୟ ସାଧାରଣ ଦିନ ଠାରୁ ଅଧିକ ରହିଥିବାର ଦେଖିବାକୁ ମିଳିଛି । ଦର ଯେତିକି ଅଧିକ ରହିଲେ ମଧ୍ୟ ଗ୍ରାହକ ମାନେ କିଣିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ପଡୁଥିବା ଆମ୍ବ ଦର କିଲୋ ପିଛା ୫୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଖଜରା ପଣସ ଗୋଟାକୁ ୩୫୦ ରୁ ୪୫୦ ଟଙ୍କା, ସେଓ କିଲୋ ୨୫୦ ରୁ ୨୮୦ ଶହ ଟଙ୍କା, ନଡ଼ିଆ ଗୋଟାକୁ ୩୦ ଟଙ୍କା, କଦଳୀ ଡ଼ଜନ ୮୦ରୁ ୧୦୦ ଟଙ୍କା, ଲିଚୁ କିଲୋ ୧୫୦ ଟଙ୍କା, କାକୁଡ଼ି କିଲୋ ୬୦ ଟଙ୍କା, ଅଙ୍ଗୁର କୋଳି କିଲୋ ୧୦୦ ରୁ ୧୫୦ ଟଙ୍କା, ଡାଳିମ୍ବ କିଲୋ ୧୮୦ ରୁ ୨ ଶହ, କମଳା କିଲୋ ୧୪୦ ଟଙ୍କା, ଡାଳିମ୍ବ କିଲୋ ପିଛା ୧୮୦ ରୁ ୨୦୦ ଟଙ୍କା ରହିଥିବା ଜଣାପଡିଛି ।
ଖଜୁରୀ ପେନ୍ଥା ୧୦ ଟଙ୍କା, ତାଳ ଗୋଟାକୁ ୧୦ ଟଙ୍କା ସମେତ ଅନ୍ୟାନ ଫଳର ଦର ଆକାଶଛୁଆଁ ରହିଛି । ଧନୀକ ଶ୍ରେଣୀର ସାଧାରଣ ଜନତା ଝିଅ ଘରକୁ ଭାର ଦେବା ପାଇଁ ପେଟି ପେଟି ଫଳ କିଣୁଥିବା ବେଳେ ଗରୀବ ତଥା ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଜନତା ନିଜ କ୍ଷମତା ଅନୁସାରେ ଫଳମୂଳ ସାମଗ୍ରୀ କିଣୁଥିବାର ଦେଖିବାକୁ ମିଳୁଛି । ସାବିତ୍ରୀକୁ ନେଇ ସତ୍ୟବାନ ମାନଙ୍କ ପକେଟ୍ ଖାଲି ହୋଇପଡୁଛି । ଆଜି ସାବିତ୍ରୀ ବ୍ରତ ପାଇଁ ପୂଜା ସାମାନ କିଣିଲା ବେଳେ ଫଳ ଦର ଶୁଣି ସତ୍ୟବାନ୍ ଛାନିଆ । କିନ୍ତୁ ସାବିତ୍ରୀ ଅମାବାସ୍ୟା କରିବା ପାଇଁ ଯେତେ ଟଙ୍କା ହେଲେ ବି କିଣିବୁ ବୋଲି ଗ୍ରାହକ କହିଛନ୍ତି ।

Leave a Reply

Your email address will not be published. Required fields are marked *