ରାଷ୍ଟ୍ରୀୟ ଗୋକୁଳ ମିଶନକୁ ବାଟବଣା କରୁଛନ୍ତି ବିଧାୟକ ଏବଂ ସାଂସଦ ଦଳୀୟ ଭିତ୍ତିରେ ଚାଲିଛି ଚାଷୀ ଚୟନ – ବିଜେଡି*

ଉଦଳା ୨୧/୦୫( କ:ବ୍ଯୁ ) – ରାଷ୍ଟ୍ରୀୟ ଗୋକୁଳ ମିଶନ ପକ୍ଷରୁ କପ୍ତିପଦା ଉପଖଣ୍ଡ ଦୁଗ୍ଧ ଚାଷୀଙ୍କ ପ୍ରଶିକ୍ଷଣ ଶିବିର ଗତ ୧୫ ତାରିଖ ଉଦଳା ଠାରେ ଅନୁଷ୍ଠିତ ହୋଇଥିଲା । ଯାହାକୁ ଉଦଳା ବିଧାୟକ ଭାସ୍କର ମଢେଇ ଉଦଘାଟନ କରିଥିଲେ । ହେଲେ ଏବେ ଏହାକୁ ନେଇ ଆଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେଡି । ଯାହାକୁ ନେଇ ବୁଧବାର ସକାଳ ସାଢେ ୧୦ ଟା ସମୟରେ ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସଭାପତିତ୍ୱରେ ଏକ ପତ୍ରକାର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସହିତ ବରିଷ୍ଠ ବିଜେଡି ନେତା ମନୋଜ କୁମାର ମହାନ୍ତି, ଗୋବିନ୍ଦ ନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ପତ୍ରକାର ସମ୍ମିଳନୀରେ ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନ ଉଦଳା ବିଧାୟକ ଭାସ୍କର ମଢେଇଙ୍କ ନାମରେ ଆଣିଥିଲେ ସାଂଘାତିକ ଅଭିଯୋଗ । ରାଷ୍ଟ୍ରୀୟ ଗୋକୁଳ ମିଶନକୁ ବାଟବଣା କରିବା ସହିତ ଆୟୋଜିତ ହୋଇଥିବା ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିରକୁ ଦଳୀୟ ଭିତ୍ତିରେ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ । ଶ୍ରୀନାଥଙ୍କ ଅଭିଯୋଗ ଅନୁସାରେ, ଏହି ପ୍ରଶିକ୍ଷଣ ଶିବିର ନିମନ୍ତେ ଚାଷୀମାନଙ୍କୁ ପୂର୍ବରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ, ଯାହାଫଳରେ ପ୍ରକୃତ ଦୁଗ୍ଧ ଚାଷୀମାନେ ଅନୁପସ୍ଥିତ ଥିବା ବେଳେ ବିଜେପି ଦଳର କର୍ମୀମାନଙ୍କୁ ଚାଷୀ ସଜାଇ ଶିବିରରେ ବସାଇ ବିଜେପି ପ୍ରହସନ କରିଥିବା ଅଭିଯୋଗ ଆଣିଛନ୍ତି । ଜଣେ ଜଣେ ଦୁଗ୍ଧ ଚାଷୀଙ୍କୁ ୭୦ ହଜାର ଟଙ୍କା ଦାମରେ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯିବ, ଯାହାଫଳରେ ଚାଷୀମାନେ ଉପକୃତ ହୋଇପାରିବେ, ଏହାକୁ ନେଇ ସରକାରଙ୍କ ଯୋଜନା ହୋଇଥିଲେ ସୁଦ୍ଧା ଏହାକୁ ଦିଗହରା କରାଯାଇଛି । ପ୍ରାୟ ୫୦୦ ଗୋଟି ଗାଈ ବଣ୍ଟନ ହେବା ନେଇ ଯୋଜନା ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ଯୋଜନାକୁ ଦଳୀୟ ଭିତ୍ତିରେ ଜାବୁଡି ଧରିଥିବା କହିବା ସହିତ ତୁରନ୍ତ ବିଭାଗୀୟ ଉପରିସ୍ଥ ଅଧିକାରୀ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବା ସହିତ ଯୋଜନାର କାର୍ଯ୍ୟକାରିତା ନଜର ଦେବାକୁ ଦାବି କରିଛି ବିଜେଡି । ତେବେ ବିଜେଡିର ଏଭଳି ଅଭିଯୋଗ ବାବଦରେ ବିଧାୟକ ଭାସ୍କର ମଢେଇଙ୍କୁ ପଚାରିବାରୁ ଏହା ପ୍ରଶାସନିକ ସ୍ତରରେ ଆୟୋଜନ ହୋଇଥିଲା ଏବଂ ସେ ଉଦଘାଟନ କରିବାକୁ ଯାଇଥିଲେ । ଏହା ସହିତ ବିଜେଡି ନିଜ ସରକାର ସମୟରେ ଦଳୀୟ ଭିତ୍ତିରେ ସବୁ କାମ କରି ଆସିଥିବା କାରଣରୁ ଏବେ ମଧ୍ୟ ସେହି ସମାନ ଢାଞ୍ଚା ଚାଲିଛି ବୋଲି ଭାବି ପୂର୍ବତନ ବିଧାୟକ ଏପରି କହୁଛନ୍ତି ବୋଲି ନିଜର ମତ ରଖିଛନ୍ତି ବିଧାୟକ ଭାସ୍କର ମଢେଇ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *