


ରାୟଗଡ-(ଅଜୟ ରଥ) : ଆଦିବାସୀ ଅଧୁଷିତ ବଣପାହାଡ଼ ଘେରା ରାୟଗଡ଼ା ଜିଲ୍ଲା । ଏଠିକା ପ୍ରାୟ ୩୦ ପ୍ରତିଶତ ଆଦିବାସୀ ପରିବାର ଜଙ୍ଗଲରୁ ମହୁଲ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି। ବର୍ଷରେ ୨ରୁ ୩ ମାସ ମହୁଲ ସଂଗ୍ରହ କରୁଛନ୍ତି। ମୁଖ୍ୟତଃ ମାର୍ଚ୍ଚ ଓ ଏପ୍ରିଲରେ ମହୁଲ ଫୁଲ ଝଡ଼ିଥାଏ। ଉକ୍ତ ଫୁଲ ସଂଗ୍ରହ କରିବା ପାଇଁ ସକାଳ ହେଲେ ଜଙ୍ଗଲକୁ ଲମ୍ବିଥାଏ ଆଦିବାସୀଙ୍କ ଲମ୍ବା ଧାଡି। ପରିବାରର ସମସ୍ତ ସଦସ୍ୟ ମିଳିତ ଭାବେ ସଂଗ୍ରହ କଲେ ଦୈନିକ ପାଖାପାଖ ୧୦ କେଜି ସଂଗ୍ରହ ହୋଇଥାଏ। ଝୁଡି, ଚାଙ୍ଗୁଡ଼ି ଓ ଗୁଲିରେ ମହୁଲ ଭର୍ତିକରି ସନ୍ଧ୍ୟାରେ ଘରକୁ ଫେରନ୍ତି। ମହୁଲକୁ ପ୍ରାୟ ୧ ସପ୍ତାହ ସୁଖାଇବା ପରେ ଏହାକୁ ବିକ୍ରିକରି ପରିବାର ପୋଷଣ କରିବାକୁ ଆଶା ବାନ୍ଧିଥାନ୍ତି । ମନରେ ଅନେକ ଆଶାର ସଂଚାରକରି ଅପେକ୍ଷା କରିଥାନ୍ତି ଗ୍ରୀଷ୍ମକୁ।ଗ୍ରୀଷ୍ମ ଆସିଲେ ଜଙ୍ଗଲରୁ ମହୁଲ ସାଉଁଟି ଜୀବିକା ନିର୍ବାହ କରିବୁ। ହେଲେ ଜଙ୍ଗଲକୁ ଯାଇ ଅକ୍ଳାନ୍ତ ପରିଶ୍ରମ କରି ମହୁଲ ସାଉଁଟୁଛନ୍ତି ।କିନ୍ତୁ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ମହୁଲ ଗୋଟାଳି ନିରୀହ ଆଦିବାସୀ। ଜିଲ୍ଲାରେ ଲଘୁ ବନଜାତ ମହୁଲ ବିକ୍ରିର କୌଣସି ବଜାର ସୁବିଧାନାହିଁ। ତେଣୁ ଘର ଦାଣ୍ଡକୁ ଆସୁଥିବା ବ୍ୟବସାୟୀମାନେ ଏହାର ଫାଇଦା ନିଅନ୍ତି। ନିରୀହ ମହୁଲ ଗୋଟାଳି ଆଦିବାସୀଙ୍କୁ କିଛି ବ୍ୟବସାୟୀ ପୂର୍ବକାଳରେ ଯେଉଁଭଳି ଜିନିଷ ବଦଳରେ ଜିନିଷ ବିକ୍ରି କରୁଥିଲେ ସେହିଭଳି ମହୁଲ ବଦଳରେ ଶୁଖୁଆ,ପିଆଜ ମରିଚ, ଆଳୁ ଦେଇ ନେଉଛନ୍ତି ମହୁଲ। ସରକାରଙ୍କ ତରଫରୁ ୨୯ ଟଙ୍କା ଦର ସ୍ଥିର ହୋଇଛି କିନ୍ତୁ ମହୁଲ କିଣିବା ବ୍ୟବସ୍ଥା ନଥିବାରୁ କିଛି ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ କୋଡିଏ ଟଙ୍କାରୁ ପଚିସି ଟଙ୍କାରେ ବାଧ୍ୟ ହୋଇ ବିକ୍ରି କରୁଥିବା କହିଛନ୍ତି ମହୁଳଗୋଟାଲୀ ଜିରା ହିକକା।ଫଳରେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ। ସରକାରଙ୍କ ଅଜବ ନୀତି । ଗୋଟିଏ ପଟେ ସରକାରୀ ସ୍ତରରେ ମହୁଲ ଦର ୨୯ ଟଙ୍କା ସ୍ଥିର ହୋଇଛି। କିନ୍ତୁ ସରକାରଙ୍କ କୌଣସି ନିର୍ଦେଶ ମହୁଲ କିଣିବା ପାଇଁ TDCC ପାଖରେ ପହଂଚି ନାହିଁ। ମହୁଲ ବଦଳରେ ଲୁଣ, ଆଳୁ,ପିଆଜ,ଶୁଖୁଆ ବଦଳ ବିଷୟ ନେଇ TDCC MD ଙ୍କ ସହ ଆଲୋଚନା କରି ଅଭାବୀ ବିକ୍ରି ଦୂର କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି PAITDA ଚନ୍ଦ୍ର କାନ୍ତ ମାଝୀ। ଗୋଟିଏ ପଟେ ନିରୀହ ଆଦିବାସୀ ମହୁଲ ଅଭାବୀ ବିକ୍ରି ଶୋଷଣର ଶିକାର ଅନ୍ୟପଟେ ଲୋକ ଦେଖାଣିଆ ଭାବେ ଲଘୁ ବନଜାତ ଦ୍ରବ୍ୟକୁ ନେଇ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିଃ ତରଫରୁ ବାର୍କ୍ସପ ଆୟୋଜନ । କିନ୍ତୁ ମହୁଲ କିଣିବାକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରଙ୍କ ନିର୍ଦେଶ ନାହିଁ ଯାହାକି ଆଦିବାସୀଙ୍କ ପ୍ରତି ସରକାରଙ୍କ ଉପହାସ । ଜିଲ୍ଲାରେ ସରକାରଙ୍କ ଏଭଳି ନୀତି ଜୋଗୁଁ ଦଲାଲଙ୍କ ଜରିଆରେ ଜିଲ୍ଲାର ଅଧିକାଂଶ ମହୁଲ ଝାଡ଼ଖଣ୍ଡ ଓ ବିହାରକୁ ଚାଲାଣ ହେଉଛି। ଏଠିକା ମହୁଲକୁ ବ୍ୟବହାର କରି ବାହାର ରାଜ୍ୟରେ ମଦ ପ୍ରସ୍ତୁତ କରି ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ଲାଭ ପାଉଛନ୍ତି । ହେଲେ ସଂଗ୍ରହକାରୀ କ୍ଷତି ସହୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ରାୟଗଡ଼ରୁ ଅଜୟ ରଥଙ୍କ ରିପୋର୍ଟ ।