
ବଡଚଣା୧୯/୩ : ଯାଜପୁର ଜିଲ୍ଲା ତଥା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଆଜି ପ୍ରଥମ କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ୟାମ୍ପସ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କଲେଜର ୧୫୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ
କରିଥିବା ବେଳେ ଏଥି ମଧ୍ୟରୁ ୬୮ ଜଣ ଛାତ୍ରଛାତ୍ରୀ ସାକ୍ଷାତକାର ପାଇଁ ମନୋନୀତ ହୋଇ ଆୟୋଜିତ ସାକ୍ଷାତକାରରେ ଭାଗ ନେଇଥିଲେ । ତେବେ ଆସନ୍ତା କାଲି
ଫଳାଫଳ ଘୋଷଣା କରାଯିବା ସହିତ ମନୋନୀତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନୀରେ ଚାକରୀ ପାଇଁ ନିଯୁକ୍ତି ଦିଆଯିବ ବୋଲି କଲେଜ ପକ୍ଷରୁ କୁହା ଯାଇଛି । ସୂଚନା ମୁତାବକ ଆଜି କଲେଜ ପରିସରରେ ଏନେଇ ଛାତ୍ରଛାତ୍ରୀ ମାନଙ୍କର ଯୋଗ୍ୟତା ଓ ଦକ୍ଷତାର ମୂଲ୍ୟାୟନ କରାଯାଇଥିଲା । ଏଥିରେ ତତ୍ୱଟେକ,କ୍ରିଏସି କର୍ପୋରେସନ ଓ ଓଲା ଆଦି ତିନିଟି କମ୍ପାନୀର ମୁଖ୍ୟ ନିଯୁକ୍ତି ଅଧିକାରୀ ଯୋଗଦେଇଥିଲେ ।
ଏମାନଙ୍କ ମଧ୍ୟରେ ସଂଗ୍ରାମ ପଣ୍ଡା, ସୌରଜିତ ନାୟକ, ବିପ୍ଳବ ନାୟକ ଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର ଯୋଗ୍ୟତା ଓ ଦକ୍ଷତାର ମୂଲ୍ୟାୟନ କରିଥିଲେ । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ପବିତ୍ର ମୋହନ ମାହାଲା ଏହି ବିରଳ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନେ ବିଭିନ୍ନ କମ୍ପାନୀରେ ଚାକିରୀ ପାଇଁ ସୁଯୋଗ ପାଇବେ ବୋଲି କହିଥିଲେ । ସଂଯୋଜକ ଡ଼ଃ ସଞ୍ଜିତ ମହାନ୍ତି ଅତିଥି ପରିଚୟ ସହିତ ଗ୍ରାମାଞ୍ଚଳ କଲେଜରେ ଏହା ପ୍ରଥମ କରି ବିଏସ କଲେଜରେ ଆୟୋଜିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏଥିରେ ଏନଆଇଆଇଟି ଫାଉଣ୍ଡେସନର ପରିଚାଳକ ବିପ୍ଳବ ନାୟକ ଯୋଗଦେଇ କଲେଜ ପଢା ସମୟରେ ଏଭଳି ନିଯୁକ୍ତି ବ୍ୟବସ୍ଥା ଛାତ୍ରଛାତ୍ରୀ ମାନଙ୍କର
ଭବିଷ୍ୟତ ଜୀବନର ମାନଦଣ୍ଡକୁ ବେଶ ସହାୟକ ହେବ ବୋଲି କହିଥିଲେ । ତେବେ ଏହି କଲେଜରେ ପ୍ରଥମ କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଭଳି ନିଯୁକ୍ତି ବ୍ୟବସ୍ଥାର ଆୟୋଜନ କରାଯାଇଥିବାରୁ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ନାହିଁ ନଥିବା ଆନନ୍ଦ ପ୍ରକାଶ ପାଇଛି ।