
ପିତା-ମାତାକୋଳେ ଅମୃତ ସନ୍ତାନ
ଶିଶୁ ପୁତ୍ର କନ୍ଯା ଜାଣ,
ପୁତ୍ର କନ୍ଯା ଦ୍ବୟ ଯେ’ ପରିପୂରକ
ସମାଜେ ସ୍ଥାନ ସମାନ ।
କନ୍ଯାଙ୍କୁ ବଞ୍ଚାନ୍ତୁ କନ୍ଯାଙ୍କୁ ପଢ଼ାନ୍ତୁ
ଆଜିର କିନ୍ତୁ ଆହ୍ବାନ,
କନ୍ଯା-ଭ୍ରୂଣ ହତ୍ଯା ପରେ ଅବହେଳା
ଦୁଷ୍କର୍ମ ମୁଖ୍ଯ କାରଣ ।
ଦୁଇ କୁଳହୀତା ଦୁହିତା ମାନ୍ଯତା
ଐଶ୍ବରୀୟ ବରଦାନ,
ସୃଷ୍ଟି ସୁରକ୍ଷା’ର ସୁକର୍ମ ନିର୍ବାହ
ନାରୀଙ୍କର ଦୈବୀଗୁଣ ।
ଶିକ୍ଷିତା ମହିଳା ସୁଗୃହିଣୀ ସାଥେ
ଦେଶ-ଜାତି କର୍ଣ୍ଣଧାର,
ସେଥିପାଇଁ ଲୋଡ଼ା କନ୍ଯା ସୁରକ୍ଷିତ
ଶିକ୍ଷାଦାନେ ସମାଦର ।
ଏକାଧାରେ ନାରୀ ରମଣୀ ଜନନୀ
କଲ୍ଯାଣମୟୀ ସୃଜନ,
କନ୍ଯା ବଞ୍ଚିଥିଲେ ସମାଜ ବଞ୍ଚିବ
ସୃଷ୍ଟିକର୍ତ୍ତା’ଙ୍କ ବିଧାନ ।
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରୀତି ମୂର୍ତ୍ତିମନ୍ତୀ
ନାରୀ ସଂସାର ଆଧାର,
ନାରୀଙ୍କୁ ଆଦର ସମ୍ମାନ ପୂଜନ
ପରିବେଶ ହିଁ ସୁନ୍ଦର ।
କନ୍ଯା-ଭ୍ରୂଣ ହତ୍ଯା ନାରୀଙ୍କୁ ଦୁଷ୍କର୍ମ
ମହାଦୋଷ ଅପରାଧ,
କୃତ କର୍ମ ଫଳ ଦୈବୀ-ଶାସ୍ତି ସାଥେ
ଆଇନେ ହୁଏ ଦଣ୍ଡିତ ।
ନାବାଳିକା ବିଭା ଅପରାଧେ ଗଣ୍ଯ
ଗର୍ଭଧାରଣ ଅକ୍ଷମ,
ଜାଗରଣେ କନ୍ଯା ସୁରକ୍ଷା ସମିତି
ନାରୀ ସଶକ୍ତିକରଣ ।
ସର୍ବେ ଜନଗଣ କରିବା ଶପଥ
କନ୍ଯାମାନଙ୍କର ଯତ୍ନ,
ଯତ୍ନ ଆଦରରେ ଶିକ୍ଷା-ଦୀକ୍ଷା ମନ୍ତ୍ରେ
ସେ’ ଦେଶ ଜାତିର ରତ୍ନ ।
କନ୍ଯା ସମାଜର କସ୍ତୁରୀ ମହକ
ସଂସାର ପୁଷ୍ପ ସୁବାସ,
କନ୍ଯାଠୁ ଜନନୀ ହୃଦେ ଦେବୀ-ଶକ୍ତି
ଭଣେ ଶମ୍ଭୁନାଥ ଦାସ ।