(ଆୟୋଜିତ ହେଲା ମୟୂରଭଞ୍ଜ ହାଫ ମାରାଥନ; ଚମକିଲେ ବିଦେଶୀ ମାରାଥନ)

ବାରିପ(କଳିଙ୍ଗପ୍ରଭାଟିଭି) ତା୧୯.୦୧.୨୦୨୫// ମୟୂରଭଞ୍ଜ ଏଥଲେଟିକ ଆସୋସିଏସନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ମୟୂରଭଞ୍ଜ ହାଫ ମାରାଥନ ରବିବାର ଦିନ ହର୍ଷୋଲ୍ଲାସ ସହିତ ସଫଳ ଭାବେ ସମ୍ପାଦିତ ହୋଇଅଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ତତ୍ୱାବଧାନରେ ବିଗତ ୧୫ ଦିନ ପୂର୍ବରୁ ଏହି ଆୟୋଜନର ପୁର୍ବପ୍ରସ୍ତୁତି ହୋଇଥିବା ବେଳେ ଏହାର ଅନଲାଇନ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ଏବଂ ଶନିବାର ଦିନ ସ୍ଥାନୀୟ ଛଉ ପଡିଆ ଠାରେ ଅଫଲାଇନ ପଞ୍ଜିକରଣ ଓ ଦୌଡାଳୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ରବିବାର ସକାଳ ୬ଟା ସମୟରେ, ବାରିପଦାର ଶୀତୁଆ କୁହୁଡି ଆଚ୍ଛନ୍ନ ପରିବେଶରେ ଏହି ମାରାଥନ ଆୟୋଜନ ତଥା ଆନୁଷ୍ଠାନିକ ଭାବେ ମାନ୍ୟଵର ମନ୍ତ୍ରୀ ଗୃହ ଏବଂ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ଏହି ମାରାଥନ ପ୍ରତିଯୋଗିତାରେ ତିନୋଟି ବିଭାଗ ଯଥା ହାଫ ମାରାଥନ (୨୧ କି.ମି.), ମିନି ମାରାଥନ (୧୦ କି.ମି) ଏବଂ ସଡକ ସୁରକ୍ଷା ରିଲେ ମାରାଥନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପାଖାପାଖି ୧୨୦୦ରୁ ୧୫୦୦ ମାରାଥନ ଦୌଡାଳୀଙ୍କ ସମେତ ୨ଜଣ ଅନ୍ତଃ ରାଷ୍ଟ୍ରୀୟ ମାରାଥନ ରନର ଅଂଶଗ୍ରହଣ କରି ମୟୂରଭଞ୍ଜର ସଦର ମହକୁମା ବାରିପଦା ଠାରୁ ଦୌଡ ଆରମ୍ଭ କରି ଶିମିଳିପାଳ ପାଦଦେଶରେ ଥିବା ପିଠାବଟା ଗେଟ ପର୍ଯ୍ୟନ୍ତ ଦୌଡ଼ି ଏହି ମାରାଥନ ସମ୍ପୂର୍ଣ୍ଣ କରିଥିଲେ।

ସୂଚନା ଥାଉକି ସକାଳ ୬:୩୦ ମି ସମୟରେ ଏହି ପ୍ରତିଯୋଗିତାକୁ ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ରଙ୍କ ସହିତ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ, ମାନ୍ୟବର ବିଧାୟକ, ସାରସକଣା ଶ୍ରୀ ଭାଦବ ହାଁସଦା, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ପୌରପାଳିକା ନଗରପାଳ, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡଃ ପ୍ରକାଶ ଚାନ୍ଦ ଗୋଗିନେନି, ଶିମିଳିପାଳ ଉପନିର୍ଦ୍ଧେଶକ ଶ୍ରୀ ସମ୍ରାଟ ଗୌଡା, ଶ୍ରୀ ସାଇକିରଣ ପ୍ରମୁଖଙ୍କ ସମେତ ମୟୂରଭଞ୍ଜ ମାଟିର ଝିଅ ତଥା ଅନ୍ତଃରାଷ୍ଟ୍ରୀୟ କ୍ରୀଡ଼ାବିତ ପୂର୍ଣ୍ଣିମା ଚାନ୍ଦ ଓ ଜଉନା ମୁର୍ମୁ ଆନୁଷ୍ଠାନିକ ଭାବେ ବାରିପଦାସ୍ଥ ଛଉ ପଡିଆ ଠାରେ ଉଦ୍ଘାଟନ କରିବା ସହିତ ୫ମ ବାଟାଲିଆନର ସେନାବାହିନୀ, ମାରାଥନ ମଶାଲ ନେଇ ଅଗ୍ରସର ହୋଇଥିଲେ।

ପରେ ପରେ ସମସ୍ତ ଦୌଡାଳୀ ଜଗନ୍ନାଥ ମନ୍ଦିର ବଡଦାଣ୍ଡ ରାସ୍ତାରେ ଏବଂ ଅଷ୍ଟିଆ ବ୍ରିଜ ଦେଇ ସାମାଖୁଣ୍ଟା, ଲୂଲୂଙ୍ଗ ରାସ୍ତା ଅଭିମୁଖେ ଦୌଡ଼ିଥିଲେ। ପୁଲିସ, ଡାକ୍ତରୀ ଟିମ ଏବଂ ମାଜିଷ୍ଟ୍ରେଟଙ୍କ ପର୍ଯ୍ୟାପ୍ତ ସୁରକ୍ଷା ବଳୟ ମଧ୍ୟରେ ଏହି ମାରାଥନ ପ୍ରତିଯୋଗିତା ନିର୍ଦ୍ୱନ୍ଦରେ ଅଗ୍ରସର ହୋଇ ନିର୍ଦ୍ଧାରିତ ପିଠାବଟା ଅଂଚଳରେ ସମାପ୍ତ ହୋଇଥିଲା। ଶିମିଳିପାଳ ବଞ୍ଚାଅ ଅଭିଯାନକୁ ଜନପ୍ରସାରୀ କରିବା ନିମନ୍ତେ ଏହି ମାରାଥନ ଆୟୋଜନ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଶିମିଳିପାଳ ଜୈବ ମଣ୍ଡଳ ସମଗ୍ର ଏସିଆର ସବୁଠାରୁ ବୃହତ ଜୈବ ମଣ୍ଡଳ ଯାହାର ସୁରକ୍ଷା ବାର୍ତ୍ତା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ଏହି ମାରାଥନ ଏକ ଉଚ୍ଚକୋଟୀର ବିଚାରଧାରା ବୋଲି ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ମହାନଦୀ କୋଲ ଫିଲଡ ଲିମିଟେଡ଼, ବନଖଣ୍ଡ ବିଭାଗ, ଶିମିଳିପାଳ ଫାଉଣ୍ଡେସନ, ଆଞ୍ଚଳିକ ପରିବହନ ଅନୁଭାଗ, ପ୍ରୋ ସ୍ପୋର୍ଟ୍ସ ଅନୁଷ୍ଠାନ ମାନେ ଏହାର ପ୍ରଯୋଜକ ହୋଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। ଏହି ମାରାଥନ ଦୌଡ ପାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଶୁଭାଶିଷ ନାୟକଙ୍କ ପ୍ରଚେଷ୍ଟାରେ ଓଡିଶା ଅଲମ୍ପିକ ଆସୋସିଏସନ ନିଜର ବହୁ ଅଭିଜ୍ଞ ସଦସ୍ୟ ତଥା ରାଷ୍ଟ୍ରୀୟ ଓ ଅନ୍ତଃ ରାଷ୍ଟ୍ରୀୟ କ୍ରୀଡ଼ାବିତ ମାନଙ୍କୁ ଏହି ମାରାଥନ କାର୍ଯ୍ୟକ୍ରମରେ ସାମିଲ କରାଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ଖେଳାଳି ମାନଙ୍କୁ ଚୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସର୍ବଶେଷରେ, ହାଫ ମାରାଥନ ପୁରୁଷ ବିଭାଗରେ ଉତ୍ତର ପ୍ରଦେଶର ଆରିଫ ଅଲି ପ୍ରଥମ ସ୍ଥାନରେ ରହି ପୁରସ୍କାର ଜିତିଥିବା ବେଳେ, ଇଥିଓପିଆର ମାରାଥନ ଦୌଡ଼ାଳି ତେବେଯେ କିଂଟୋ ଦ୍ଵିତୀୟ ସ୍ଥାନ ଓ ଅର୍ଜୁନ ଟୁଡୁ ତୃତୀୟ ସ୍ଥାନରେ ରହିଥିଲେ। ସେହି ଭଳି ମହିଳା ବର୍ଗରେ ଉତ୍ତର ପ୍ରଦେଶର କେ. ଏମ ସନ୍ଧ୍ୟାରାଣୀ ପଲ ପ୍ରଥମ, ନିଶା ଦ୍ଵିତୀୟ, ଓ ପଶ୍ଚିମ ବଙ୍ଗର ମଦିନା ପଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ଶ୍ରେଷ୍ଠ ୨୦ ଜଣଙ୍କୁ ମଧ୍ୟ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବା ସହିତ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଏବଂ ମେଡାଲ ପ୍ରଦାନ କରାଯାଇଥିଲା।

ସେହିଭଳି, ମିନି ମାରାଥନରେ ମହିଳା ବର୍ଗରେ ସନ୍ଧ୍ୟା ମୂର୍ମୁ ପ୍ରଥମ, ଦିପ୍ତୀରାଣୀ ସାହୁ ଦ୍ଵିତୀୟ, ଇତିଶ୍ରୀ ମହାନ୍ତ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବାବେଳେ, ପୁରୁଷ ବିଭାଗରେ ବିଶାଲ ବର୍ମା ପ୍ରଥମ, ସୁଦର୍ଶନ ବିନ୍ଦ ଦ୍ଵିତୀୟ, ଓ ସିଦ୍ଧାର୍ଥ ଗୌତମ ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହି ବିଭାଗରେ ମଧ୍ୟ ଶ୍ରେଷ୍ଠ ୧୦ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଏବଂ ତତ୍ୱାବଧାନରେ ସାହାଯ୍ୟ କରିଥିବା ଅଧିକାରୀ, ବିଭିନ୍ନ ପ୍ରଶାସନିକ ପଦାଧିକାରୀ ଓ କ୍ରୀଡା ବିଭାଗର ସମସ୍ତ ଆୟୋଜକଙ୍କୁ ସମ୍ମାନୀତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମଞ୍ଚପରିଚାଳନାରେ ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ଶ୍ରୀ କୁମାର ପଣ୍ଡା, ଅତିରିକ୍ତ କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଓରମାସ ଡେପୁଟି ସିଇଓ ବିମାନ ମଲ ପ୍ରମୁଖ ସହଯୋଗ କରିଥିବା ବେଳେ ପୋଲିସ, ବନ ବିଭାଗ, ବାରିପଦା ଉପଖଣ୍ଡର ସମସ୍ତ ତହସିଲଦାର, ବିଡ଼ିଓ ଓ ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ କାର୍ଯ୍ୟକ୍ରମର ଆବଂଟିତ ସମସ୍ତ ସମସ୍ତ ଦାୟିତ୍ୱ ନିର୍ବାହ କରି ଏହି ମୟୂରଭଞ୍ଜ ହାଫ ମାରାଥନକୁ ସଫଳ ରୂପାୟନ ଦେଇଥିଲେ। ଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଉଦଘାଟିତ ହେଲା ମୟୂରଭଞ୍ଜ ହାଫ ମାରାଥନ

ପୁରୁଷ ବର୍ଗରେ ଅରିଫ ଅଲି, ମହିଳା ବର୍ଗରେ ସନ୍ଧ୍ୟା ପଲ ହେଲେ ଶ୍ରେଷ୍ଠ
ଦୌଡାଳି।ଇତି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *