*”ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ କର୍ମଶାଳା”

ବାରିପଦା(କଳିଙ୍ଗପ୍ରଭାଟିଭି ) ୦୯/୦୧: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ଫଟୋଗ୍ରାଫି କ୍ଲବ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ସାହୁ ପ୍ରବାସୀ ଭାରତୀୟ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ପ୍ରବାସୀମାନଙ୍କ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ସଚେତନତା ସୃଷ୍ଟି କରିବ ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଫଟୋଗ୍ରାଫି କ୍ଲବ୍‌ର ସଂଯୋଜିକା ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. ଅଶୋକ କୁମାର ମଲ୍ଲିକ ଫଟୋଗ୍ରାଫି ଉପରେ ଏକ କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉତ୍ତୋଳିତ ବିଭିନ୍ନ ଫଟୋର ଏକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା । କମ୍ପ୍ୟୁଟର ପ୍ରୟୋଗ ବିଭାଗ ମୁଖ୍ୟ ପ୍ରଫେସର ଏମ୍‌. ହିମବିନ୍ଦୁ, ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର ଓ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଏହାର ମୂଲ୍ୟାୟନ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନକୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଇତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *