

ଗବେଷକଙ୍କ କାର୍ଯ୍ୟ କେବଳ ପରୀକ୍ଷାଗାରରେ ସୀମିତ ରହିବା ଉଚିତ ନୁହେଁ, ଏହା କୃଷକଙ୍କ ପାଖରେ ମଧ୍ୟ ପହଞ୍ଚିବା ଉଚିତ : ଶ୍ରୀ ଚୌହାନ
କୃଷକ ମାନଙ୍କର ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି : ଶ୍ରୀ ଚୌହାନ
କୃଷି କ୍ଷେତ୍ର ସହ ଜଡ଼ିତ ବୈଜ୍ଞାନିକ ଓ କୃଷକମାନେ ଏକାଠି ହୋଇ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ : କେନ୍ଦ୍ର କୃଷି ମନ୍ତ୍ରୀ
କୃଷି ସମ୍ଵନ୍ଧୀୟ ସୂଚନା କେବଳ ଇଂରାଜୀ ଭାଷାରେ ସୀମିତ ରହିବା ଉଚିତ ନୁହେଁ, ଏହାକୁ ଭାରତର ବିଭିନ୍ନ ଭାଷାରେ ପ୍ରକାଶ କରିବା ଜରୁରୀ , ଯାହା ଦ୍ୱାରା ପରୀକ୍ଷାଗାରରୁ ଜମି ମଧ୍ୟରେ ବ୍ୟବଧାନ ଦୂର ହୋଇପାରିବ : ଶ୍ରୀ ଚୌହାନ
ଦେଶର ଜିଡିପିରେ କୃଷି କ୍ଷେତ୍ରର ଅବଦାନ ୧୮ ପ୍ରତିଶତ ରହିଛି । ବିଶେଷ କରି କୋଭିଡ୍ ସମୟରେ ସମଗ୍ର ବିଶ୍ୱ ଭାରତର କୃଷି କ୍ଷେତ୍ର ଅନ୍ୟ ଦେଶ ତୁଳନାରେ ଅଧିକ ମଜଭୁତ ବୋଲି ଜାଣିବାକୁ ପାଇଛି । ଏହି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ସବୁବେଳେ ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏହି କ୍ଷେତ୍ର ପ୍ରତି ମୋଦୀ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ପ୍ରକାଶ କରି କହିଥିଲେ, ଭାରତକୁ ବିଶ୍ୱର ଖାଦ୍ୟ ଝୁଡିରେ ପରିଣତ କରିବା ଦିଗରେ ତାଙ୍କ ସରକାର କୌଣସି କାର୍ଯ୍ୟ ବାକି ରଖୁନାହାନ୍ତି । ଆଜି ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଏଇଆରସି)ର ପ୍ଲାଟିନମ୍ ଜୟନ୍ତୀ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଗବେଷକଙ୍କ କାର୍ଯ୍ୟ କେବଳ ପରୀକ୍ଷାଗାରରେ ସୀମିତ ରହିବା ଉଚିତ ନୁହେଁ ବରଂ ଏହାକୁ କୃଷକମାନଙ୍କ ପାଇଁ ମଧ୍ୟ ବ୍ୟାପକ କରାଯିବା ଉଚିତ । ତାଙ୍କ ସରକାର ଏହା ଉପରେ ଅନେକ ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତର ସଂସ୍କୃତି ଓ ସଭ୍ୟତା ବହୁ ପୁରାତନ । କୃଷି କ୍ଷେତ୍ର ମଧ୍ୟ ଏହା ସହ ଜଡ଼ିତ। ବିଶେଷ କରି ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ହିଁ ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଦେଖିବାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ସମଗ୍ର ବିଶ୍ୱକୁ ଏହି ଦିଗରେ ମାର୍ଗଦର୍ଶନ କରିଥିଲା ।
ସେ କହିଥିଲେ ଯେ , ଏହି ପୃଥିବୀ କେବଳ ମନୁଷ୍ୟମାନଙ୍କ ପାଇଁ ନିର୍ମିତ ନୁହେଁ; ଏହା କୀଟପତଙ୍ଗ ଭଳି ସମସ୍ତ ପ୍ରାଣୀଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । କୀଟନାଶକର ମାତ୍ରାଧିକ ବ୍ୟବହାରକୁ ରୋକିବା ପାଇଁ ଆହ୍ୱାନ ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ପ୍ରାକୃତିକ ଚାଷ ଦିଗରେ ଆମକୁ ଆଗକୁ ବଢ଼ିବା ହେଉଛି ସମୟର ଆବଶ୍ୟକତା ଏବଂ ଆମକୁ ଏହାକୁ ସମ୍ପୂର୍ଣ୍ଣ ସମ୍ଭାବନା ସହିତ ଆଗକୁ ନେବାକୁ ପଡିବ । ଏହା ଆମର ଉତ୍ପାଦନରେ ମୂଲ୍ୟ ଯୋଗ କରିବ । କୃଷକଙ୍କ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏ ଦିଗରେ ଏକ ପଦକ୍ଷେପ ନେଇ କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦକୁ ଦୂର ସ୍ଥାନରେ ପହଞ୍ଚାଇବା ପାଇଁ ଏକ ନୂଆ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଏହା ଅଧୀନରେ କୃଷକମାନେ ସେମାନଙ୍କ ଉତ୍ପାଦକୁ କିପରି ସୁବିଧାରେ ଅନ୍ୟ ରାଜ୍ୟ ଓ ବଜାରରେ ପହଞ୍ଚାଇ ପାରିବେ, ତାହା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି।
ଆଜି ଆମେ ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଏଇଆରସି)ର ପ୍ଲାଟିନମ୍ ଜୟନ୍ତୀ ପାଳନ କରୁଛୁ। ଏହି ଅବସରରେ ସମସ୍ତ ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଚୌହାନ କହିଥିଲେ ଯେ ଏହି ୭୦ ବର୍ଷ ମଧ୍ୟରେ ଆମେ କ’ଣ ହାସଲ କରିଛୁ ଏବଂ କ’ଣ ହରାଇଛୁ ତାହାର ପୁନଃସମୀକ୍ଷା କରାଯିବାର ଆବଶ୍ୟକତା ରହିଛି । ଏ ଦିଗରେ ବୈଷୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ କୃଷି କ୍ଷେତ୍ର ସହ ଜଡିତ ବୈଜ୍ଞାନିକ ଏବଂ କୃଷକମାନେ ଏକାଠି ହୋଇ ସେମାନଙ୍କ ସମସ୍ୟାର ସମାଧାନ କରିବା ଉଚିତ । କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଡିଡି କିଷାନ ଚ୍ୟାନେଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଡର୍ଣ କୃଷି ଚୌପାଲ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି । ଏହା ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ କୃଷକ, ଗବେଷକ ଏବଂ ବୈଜ୍ଞାନିକମାନେ ଏକାଠି ବସି କୃଷି କ୍ଷେତ୍ରରେ ସମସ୍ୟା ଏବଂ ନୂତନ ସୁଯୋଗ ଉପରେ ସେମାନଙ୍କର ମତ ବିନିମୟ କରିବେ । କୃଷି କ୍ଷେତ୍ର ସମ୍ବନ୍ଧୀୟ ସୂଚନା କେବଳ ଇଂରାଜୀ ଭାଷାରେ ସୀମିତ ରହିବା ଉଚିତ ନୁହେଁ, ଭାରତର ବିଭିନ୍ନ ଭାଷାରେ ପ୍ରକାଶିତ ହେବା ଜରୁରୀ, ଯାହା ଦ୍ୱାରା ପରୀକ୍ଷାଗାରରୁ କୃଷି କ୍ଷେତ୍ର ମଧ୍ୟରେ ବ୍ୟବଧାନ ଦୂର ହୋଇପାରିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 25 ଡିସେମ୍ବର 2024 ରେ ନଦୀ ସଂଯୋଗ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ଯୋଜନା ସମ୍ପର୍କରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଦେଶର ଅନେକ ସ୍ଥାନରେ କେତେବେଳେ ବନ୍ୟା ପରିସ୍ଥିତି ଉପୁଜୁଥିବା ବେଳେ ଆଉ କେତେକ ସ୍ଥାନରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ନଦୀ ସଂଯୋଗ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହି ଯୋଜନା ଦ୍ୱାରା ପ୍ରବଳ ବର୍ଷା ହେଉଥିବା ଅଞ୍ଚଳ ଏବଂ ମରୁଡ଼ିକୁ ସାମନା କରୁଥିବା ଅଞ୍ଚଳ ଉପକୃତ ହେବେ । କୃଷି ମନ୍ତ୍ରୀ କହିଛନ୍ତି ଯେ ଆମେ ଏପରି ଜ୍ଞାନକୌଶଳ ବିକଶିତ କରିବା ଉଚିତ ଯାହା ଦ୍ଵାରା କମ୍ ପାଣିରେ ଅଧିକ ଜଳସେଚନ କରାଯାଇପାରିବ । କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଖର୍ଚ୍ଚ ହ୍ରାସ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଚୌହାନ କହିଛନ୍ତି ଯେ ଗତ ବର୍ଷ ତାଙ୍କ ସରକାର କୃଷକମାନଙ୍କୁ ୧.୯୪ ମେଟ୍ରିକ ଟନ୍ ରିହାତି ପ୍ରଦାନ କରିଥିଲେ। ଯଦି ଜଣେ କୃଷକ ତୁରନ୍ତ ଟଙ୍କା ଆବଶ୍ୟକ କରନ୍ତି, ତେବେ ଏଥିପାଇଁ ତାଙ୍କୁ ଋଣଦାତାଙ୍କ ପାଖକୁ ଯିବାକୁ ପଡିବ ନାହିଁ । ସେଥିପାଇଁ ସରକାର ତାଙ୍କୁ ତୁରନ୍ତ ଟଙ୍କା ଯୋଗାଇ ଦେବା ଲାଗି କିଷାନ କ୍ରେଡିଟ୍ କାର୍ଡର ସୁବିଧା ପ୍ରଦାନ କରିଛନ୍ତି । ୨୦୧୪ ରୁ ୨୦୨୪ ମଧ୍ୟରେ ତାଙ୍କ ସରକାର ଅନେକ ଉତ୍ପାଦ ଉପରେ ଦୁଇଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଦେଉଛନ୍ତି, ଯେଉଁ କାରଣରୁ କୃଷକମାନଙ୍କୁ ବହୁତ ଆଶ୍ୱସ୍ତି ମିଳୁଛି। ଆମେ ସବୁବେଳେ ଆମଦାନୀ ଉପରେ ନିର୍ଭର କରିବା ଉଚିତ ନୁହେଁ ଏବଂ ଏପରି ନୀତି ପ୍ରସ୍ତୁତ କରିବା ଉଚିତ ଯାହା କୃଷକମାନଙ୍କୁ ଅଧିକ ଲାଭ ପ୍ରଦାନ କରିପାରିବ ବୋଲି ସେ ମତ ଦେଇଛନ୍ତି।