ଗାଁ ମୁହାଁ ହନୁମାଙ୍କଡ଼ : ନଷ୍ଟ କରୁଛି ଫସଲ ।

ତୁରେକେଲା , ୨୭|୧୧: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମହଖଣ୍ଡ ରେଞ୍ଜ ଅଧୀନସ୍ଥ ବଡବାଙ୍କି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହନୁମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ଚାଷବାସ ବ୍ୟାପକ ନଷ୍ଟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ବନ୍ୟଜନ୍ତୁ ଗାଁମୁହାଁ ହୋଇ ପରିବା, ତୈଳ, ଡାଲି ଜାତୀୟ ଫସଲ ଖାଇବା ସଙ୍ଗେ ସଙ୍ଗେ ବ୍ୟାପକ ଭାବେ ନଷ୍ଟ କରିଦେଉଛନ୍ତି।
ଖାଦ୍ୟ ଅନ୍ଵେଷଣରେ ହନୁମାଙ୍କଡ଼ ଗାଁମୁହାଁ ହୋଇ ଝୁଲେର, ପୋଟଳ, ବାଇଗଣ, କରଲା, କୁନ୍ଧୁରୁ, ମିରଚା, ଭେଣ୍ଡି, କଦଳୀ, ମାଖନ, ଲାଉ ଆଦି ପନିପରିବା ଖାଇବା ସହ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। ଏହି ହନୁମାଙ୍କଡ଼ ଉପଦ୍ରବ ଯୋଗୁଁ ଛପର ଘର ଭାଙ୍ଗିରୁଜି ଯାଉଛି । ଗାଁମୁହାଁ ବନ୍ୟଜନ୍ତୁ ଓ ହନୁମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିଛନ୍ତି । ହନୁମାଙ୍କଡଙ୍କୁ ବାରମ୍ବାର ଘଉଡାଇଲେ ମଧ୍ୟ ସେମାନେ ସ୍ଥାନ ଛାଡୁ ନାହାନ୍ତି I ହନୁମାଙ୍କଡ ଉପଦ୍ରବ ଯୋଗୁଁ ଚାଷୀ ଦିନ ରାତି ଚିନାବାଦାମ ଚାଷ ଜମି ଜଗିବାକୁ ବାଧ୍ଯ ହେଉଛନ୍ତି। ହନୁମାଙ୍କଡଙ୍କୁ କାବୁ କରାଯିବାକୁ ବନ୍ୟପ୍ରାଣୀ ଓ ବନ ବିଭାଗ ଦୃଷ୍ଟି ଦେବାକୁ ଚାଷୀମାନେ ନିବେଦନ କରିଥିଲେହେଁ କୌଣସି ସୁଫଳ ମିଳି ନାହିଁ । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *