ସୁରକ୍ଷା ବାହିନୀ ସହ ସଂଘର୍ଷରେ ଚାଷୀଙ୍କ ମୃତ୍ୟୁ, ‘ଦିଲ୍ଲୀ ଚଲୋ’ ଅଭିଯାନ ଦୁଇ ଦିନ ପାଇଁ ସ୍ଥଗିତ

ଚଣ୍ଡିଗଡ଼ (ଏଜେନ୍ସି): ପଞ୍ଜାବ-ହରିୟାଣା ସଂଲଗ୍ନ ଖନୌରି ସୀମାରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ପ୍ରାୟ ୧୨ ଜଣ ପୋଲିସ ଆହତ ହେବା ପରେ କୃଷକମାନେ ବୁଧବାର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ‌। ଶୁକ୍ରବାର ସନ୍ଧ୍ୟାରେ ସେମାନେ ଆଗାମୀ ରଣନୀତି ସ୍ଥିର କରିବେ ବୋଲି କୃଷକ ନେତା ସୌରଭ ସିଂହ ପାନ୍ଧେର୍ କହିଛନ୍ତି ।

ରବିବାର ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ସହ ଚତୁର୍ଥ ରାଉଣ୍ଡ ଆଲୋଚନା ପରେ ଚାଷୀମାନେ ଦୁଇ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଥିଲେ । କେନ୍ଦ୍ରର ପ୍ରସ୍ତାବ ଖାରଜ କରିବା ପରେ ପଞ୍ଜାବର ହଜାର ହଜାର ଚାଷୀ ଖନୌରି ଏବଂ ଶମ୍ଭୁ ସୀମାରେ ବୁଧବାର ସକାଳୁ ପୁଣି ଆନ୍ଦୋଳନ ଆରମ୍ଭ କରିଦେଇଥିଲେ ।

ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ଆଇନଗତ ଗ୍ୟାରେଣ୍ଟି ସମେତ କୃଷି ଋଣଛାଡ଼ ଏବଂ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ଏହି ଦୁଇଟି ସୀମାରେ ଡେରା ପକେଇ ରହିବେ ।

କୃଷକ ନେତା ବଲଦେବ ସିଂହ ସିର୍ସା କହିଛନ୍ତି, ମୃତ ବିକ୍ଷୋଭକାରୀ ପଞ୍ଜାବର ବଠିଣ୍ଡା ଜିଲ୍ଲାର ବାଲୋକେ ଗାଁର ବାସିନ୍ଦା ଶୁଭକରନ ସିଂ (୨୧) ବୋଲି ଚିହ୍ନଟ କରାଯାଇଛି ।

ପଟିଆଲା ସ୍ଥିତ ରାଜିନ୍ଦର ହସ୍ପିଟାଲର ମେଡିକାଲ୍ ଅଧୀକ୍ଷକ ଏଚ୍.ଏସ୍ ରେଖୀ ଗଣମାଧ୍ୟମକୁ କହିଛନ୍ତି ଯେ ଖନୌରି ସୀମାରୁ ତିନି ଜଣଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି । ମୃତକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ହରିୟାଣା ପୋଲିସର ଜଣେ ଅଧିକାରୀ କହିଛନ୍ତି, ବିକ୍ଷୋଭକାରୀମାନେ ସେମାନଙ୍କୁ ଲାଠିରେ ଆକ୍ରମଣ କରିବା ସହ ପଥର ମାଡ଼ କରିବାରୁ ପ୍ରାୟ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *