
ନୂଆଦିଲ୍ଲୀ (ଏଜେନ୍ସି): ବୁଧବାର ସଂସଦର ସୁରକ୍ଷା ତ୍ରୁଟି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି ବିରୋଧୀ। ଅଭିଯୁକ୍ତଙ୍କୁ ଭିଜଟର ପାସ୍ ଦେଇଥିବା ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ ବୋଲି ବିରୋଧୀ ଦଳମାନେ ଦାବି କରିଛନ୍ତି।
ଘଟଣା ଘଟିବାର କିଛି ଘଣ୍ଟା ପରେ କଂଗ୍ରେସ କର୍ମୀମାନେ ପ୍ରତାପ ସିହ୍ମାଙ୍କ ବାସଭବନରେ ସମ୍ମୁଖରେ ଛିଡ଼ା ହୋଇ ଆନ୍ଦୋଳନ କରିଛନ୍ତି। ଏଥିସହିତ ସୁରକ୍ଷାରେ ତ୍ରୁଟି ଯୋଗୁ ସେ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ ନାରା ଲଗାଇଛନ୍ତି।
ଏନେଇ ଆସନ୍ତାକାଲି ବିରୋଧୀ ମିଳିତ ମଞ୍ଚ ଇଣ୍ଡିଆ ଜରୁରୀ ବୈଠକ ମଧ୍ୟ ଡକାଇଛି। ସକାଳ ୧୦ରେ ବୈଠକ ବସିବାକୁ ଥିବା ବେଳେ ଏଥିରେ ଟିଏମ୍ସି, ଆପ୍,ଜେଡିୟୁ, ଆର୍ଜେଡି ଓ ଏନ୍ସିପି ଏହି ବୈଠକରେ ସାମିଲ୍ ହେବେ। ଘଟଣାକୁ ନେଇ ସରକାରଙ୍କୁ କିପରି ଘେରାଯିବ ସେ ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।
ଅନ୍ୟପଟେ ପାସ୍ ଦେବା ନେଇ ସଫେଇ ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ସିହ୍ମା। ତାଙ୍କ ନିର୍ବାଚନ ମଣ୍ଡଳୀ ବାସିନ୍ଦା ଅଭିଯୁକ୍ତଙ୍କ ସାଗର ଶର୍ମାଙ୍କ ବାପା ତାଙ୍କୁ ଅନୁରୋଧ କରିଥିଲେ। ଅଭିଯୁକ୍ତମାନେ ନୂଆ ସଂସଦ ଭବନ ଦେଖିବାକୁ ଚାହୁଁଛନ୍ତି ବୋଲି କହିବାରୁ ମୁଁ ପାସ୍ ଦେଇଥିଲି ବୋଲି ପ୍ରତାପ ସିହ୍ମା କହିଛନ୍ତି।
ସେପଟେ ଟିଏମ୍ସି ମଧ୍ୟ ପ୍ରତାପଙ୍କ ନିଲମ୍ବନ ଦାବି କରିଛି। ମହୁଆ ମୋଇତ୍ରଙ୍କୁ ଯେଉଁଭଳି ନଲମ୍ବନ କରାଗଲା ପ୍ରତାପଙ୍କୁ ମଧ୍ୟ ସେଭଳି ନିଲମ୍ବନ କରାଯାଉ ବୋଲି ଦଳ ଦାବି କରିଛି। ସାଥି ସାଂସଦଙ୍କ ଜୀବନକୁ ବିପଦରେ ପକାଇବାକୁ ତାଙ୍କୁ କିଏ ଅଧିକାର ଦେଲେ ବୋଲି ଟିଏମ୍ସି ପ୍ରଶ୍ନ କରିଛି।
ସେହିପରି ଶିବସେନା( ୟୁବିଟି) ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ପ୍ରତାପ ସିହ୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସଂସଦ ଭିତରକୁ ଗ୍ୟାସ୍ କ୍ୟାନ୍ କେମିତି ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଘଟଣାରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଛନ୍ତି। ଗୁରପତୱନ୍ତ ସିଂହ ପନ୍ନୁ ସଂସଦରେ ଆକ୍ରମଣ କରିବା ଧମକ ଦେଇଥିବା ମୁଁ ସେପ୍ଟେମ୍ବର ୨୨ରେ ଚେତାଇବା ପରେ ସରକାର କାହିଁକି ସତର୍କ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆମ୍ ଆଦ୍ମୀ ପାର୍ଟି ସାଂସଦ ରାଘବ ଚଡ୍ଡା ମଧ୍ୟ ବିଜେପି ସାଂସଦ ପ୍ରତାପ ସିହ୍ମଙ୍କ ନିଲମ୍ବନ ପାଇଁ ଦାବି କରିଛନ୍ତି। କେମିତି ସଂସଦ ଭିତରୁ ଗ୍ୟାସ୍ କ୍ୟାନ୍ ନିଆଗଲା ? ସମ୍ପୃକ୍ତ ସାଂସଦଙ୍କ ବିରୋଧରେ ସରକାର କେଉଁ ପଦକ୍ଷେପ ନେବେ ତାହା ଦେଶ ଜାଣିବାକୁ ଚାହୁଁଛି ବୋଲି ଶ୍ରୀ ଚଡ୍ଡା ଦାବି କରିଛନ୍ତି।