
ନୂଆଦିଲ୍ଲୀ (ଏଜେନ୍ସି): ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଧମକାଇବା ମାମଲାରେ ଏନ୍ଆଇଏ ସୋମବାର ଘୋଷିତ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି ।
ପନ୍ନୁନ୍ ବିରୋଧରେ ଏହି ମାମଲା ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଛି।
ପନ୍ନୁନ୍ ନଭେମ୍ବର ୪ରେ ଏକ ଭିଡିଓ ଜାରି କରି ନଭେମ୍ବର ୧୯ ପରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ଶିଖମାନଙ୍କୁ କହିଥିଲା ।
ନିଷିଦ୍ଧ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ (ଏସ୍ଏଫଜେ)ର ମୁଖ୍ୟ ପନ୍ନୁନ୍ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ବାର୍ତ୍ତା ଜାରି କରିଥିଲା। ଏହା ପରେ ହାଇ ଆଲର୍ଟ ଜାରି କରାଯାଇଥିଲା । କାନାଡା ଓ ଭାରତ ସହ ଏୟାର ଇଣ୍ଡିଆ ବିମାନ ଚଳାଚଳ କରୁଥିବା ଅନ୍ୟ ସବୁ ଦେଶ ଗୁଡ଼ିକରେ ତଦନ୍ତ ଆରମ୍ଭ କରିଥିଲେ ସୁରକ୍ଷା ଏଜେନ୍ସି ।
ପନ୍ନୁନ୍ ୨୦୧୯ ମସିହାରୁ ଏନଆଇଏ ରାଡାରରେ ରହିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ଏନ୍ଆଇଏ ପନ୍ନୁନର ଘର ଓ ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ଜମି ଜବତ କରିଥିଲା ।
ଏନଆଇଏର ସ୍ୱତନ୍ତ୍ର ଅଦାଲତ ଫେବୃଆରୀ ୩, ୨୦୨୧ରେ ପନ୍ନୁନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ତାଙ୍କୁ ଗତ ବର୍ଷ ନଭେମ୍ବର ୨୯ରେ ପଳାତକ ଘୋଷିତ କରାଯାଇଥିଲା ।