ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି, ରୋକ୍ ଲଗାଇଲେ ହାଇକୋର୍ଟ

କଟକ (ଓଡ଼ିଶା ଟୁଡେ) : ପ୍ରତାପ ଜେନାଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି ମିଳିଛି । ହାଇକୋର୍ଟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି । ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି ।

ଗତ ଅକ୍ଟୋବର ୩୧ ତାରିଖରେ ସାଲେପୁର JMFC କୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ହୋଇଥିବା ବେଳେ ପ୍ରତାପ ଜେନା ନିଜ ଓକିଲଙ୍କ ଜରିଆରେ ହାଜର ହୋଇଥିଲେ । ପ୍ରତାପ ଜେନା ଅସୁସ୍ଥ ଥିବା ନେଇ କ୍ୟାପିଟାଲ ହସ୍ପିଟାଲର ସାର୍ଟିଫିକେଟ ଜମା କରିଥିଲେ । ଏପରିକି ଏଥି ନିମନ୍ତେ ଦୁଇ ସପ୍ତାହର ମହଲତ ମାଗିଥିଲେ । ଆଜି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ସାଲେପୁର JMFC କୋର୍ଟରେ ଅର୍ଡର ପହଞ୍ଚି ନ ଥିବାରୁ ଏହି ମାମଲାର ଶୁଣାଣି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ ।

ସୂଚନା ଯୋଗ୍ୟ, ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ପ୍ରତାପ ଜେନା ବର୍ତ୍ତମାନ ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ପ୍ରତାପ ଜେନା । ଜେଏମଏଫସି କୋର୍ଟ ଶାସକ ଦଳର ଏହି ବରିଷ୍ଠ ନେତାଙ୍କୁ ଅକ୍ଟୋବର ୩୧ ରେ ହାଜର ହେବାକୁ ବ୍ୟକ୍ତିଗତ ଭାବେ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ସମନ ପଠାଇଥିଲେ ।

ସୂଚନାଥାଉକି, 2021 ଜାନୁଆରି 2 ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ 9 ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା । ପ୍ରତାପ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଉଭୟଙ୍କ ପରିବାର କହିଥିବା ବେଳେ ପୁଲିସ୍‌ ଚାର୍ଜସିଟ୍‌ରେ କିନ୍ତୁ ତାଙ୍କୁ କ୍ଲିନଚିଟ ଦେଇ ନାଁ କାଟି ଦେଇଥିଲା। ହେଲେ ପୁଣି ଥରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *