
ନୂଆଦିଲ୍ଲୀ (ଏଜେନ୍ସି): ଆର୍ଥିକ ଦୁର୍ନୀତି ମାମଲାରେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ତଥା ‘ଆମ୍ ଆଦ୍ମି ପାର୍ଟି’ର (ଆପ୍) ନେତା ରାଜ୍ କୁମାର ଆନନ୍ଦଙ୍କ ବାସଭବନ ତଲାସ କରୁଥିବା କଥା ବିଭିନ୍ନ ଜାତୀୟସ୍ତରୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ରିପୋର୍ଟ ଅନୁସାରେ, ମନ୍ତ୍ରୀଙ୍କ ବାସଭବନ ସମତେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସମଗ୍ର ଦିଲ୍ଲୀର ୯ଟି ସ୍ଥାନରେ ଚଢ଼ଉ କରିଛି। ଏହି ତଲାସ ‘କଷ୍ଟମ୍’ ମାମଲା ସହିତ ଜଡ଼ିତ ଏବଂ ଆନନ୍ଦ ‘ହାୱଲା’ କାରବାରରେ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି। ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଏକ ଟିମ୍ ଆଜି ସକାଳୁ ମନ୍ତ୍ରୀଙ୍କ ଘରେ ପହଞ୍ଚି ତଲାସ ଚଳାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଆଜି ହାଜର ହେବା ପାଇଁ ସମନ୍ ଜାରି କରିଛି। ତାଙ୍କୁ ଗିରଫ କରାଯାଇ ପାରେ ବୋଲି ‘ଆପ୍’ ସନ୍ଦେହ କରୁଛି।
ଏହି ମାମଲାର ଆଗରୁ ‘ସିବିଆଇ’ କେଜ୍ରିୱାଲ୍ଙ୍କୁ ଜେରା କରିଥିଲା। ତାଙ୍କର ଘନିଷ୍ଠ ସହଯୋଗୀ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ହୋଇ ଜେଲ୍ରେ ଅଛନ୍ତି। ତାଙ୍କୁ ଜାମିନ ଦେବା ଲାଗି ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଗତ ମାସରେ ‘ଆପ୍’ ସାଂସଦ ସଞ୍ଜୟ ସିଂହଙ୍କୁ ବି ଗିରଫ କରାଯାଇଥିଲା।
କେଜ୍ରିୱାଲ୍ଙ୍କ ଦଳ ‘ଆମ୍ ଆଦ୍ମି ପାର୍ଟି’କୁ କେନ୍ଦ୍ର ସରକାର ନଷ୍ଟ କରି ଦେବାକୁ ଉଦ୍ୟମ କରୁଥିବା କଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି।