
ଓଡ଼ିଶା ଟୁଡେ (୧୫/୧୦/୨୩): ଆଜି ଠାରୁ ଆରମ୍ଭ ହୋଇଛି ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା ।
ନବରାତ୍ରିର ପ୍ରଥମ ଦିନ ମା’ଙ୍କ ଶୈଳପୁତ୍ରୀ ସ୍ବରୂପଙ୍କ ଉପାସନା ହୋଇଥାଏ। ହିମାଳୟଙ୍କ ପୁତ୍ରୀ ହେବାର କାରଣ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୂର୍ବ ଜନ୍ମରେ ତାଙ୍କ ନାଁ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କ ପତ୍ନୀ ଥିଲେ । ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କ ଅପମାନ କରିଥିଲେ ଏହି କାରଣ ଯୋଗୁଁ ସତୀ ନିଜକୁ ଯଜ୍ଞକୁଣ୍ଡରେ ଭସ୍ମ କରି ଦେଇଥିଲେ ।
ମାତା ଶୈଳପୁତ୍ରୀଙ୍କ ପୂଜା ଦ୍ବାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ମା ଶୈଳପୁତ୍ରୀଙ୍କୁ ଗାଈର ଶୁଦ୍ଧ ଘିଅର ଭୋଗ ଲଗାଇବା ଉଚିତ୍। ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ମାନ ସମ୍ମାନ ମିଳିଥାଏ ।
ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ଫଟୋକୁ ଲାଲ କିମ୍ୱା ଧଳା ବସ୍ତ୍ରରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଏ । ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ ହେବା ସହ କନ୍ୟାମାନଙ୍କୁ ଉତ୍ତମ ବର ମିଳିଥାଏ । ମାଆଙ୍କ ଆର୍ଶିବାଦରୁ କଲ୍ୟାଣ ହୋଇଥାଏ ଓ ମନ ଶାନ୍ତ ରହେ ।
ମାଆ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଅନେକ ସିଦ୍ଧ ପ୍ରାପ୍ତ ହୋଇଥାଏ । ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । କଳଶ ସ୍ଥାପନା କରି ଆଶ୍ୱିନ ଶୁକ୍ଲା ପ୍ରତିପଦାରେ ମାଆଙ୍କର ପୂଜା ଆରମ୍ଭ କରାଯାଏ । ପୀଠଦେବୀ ମାନଙ୍କ ପାଖରେ ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜା ସହିତ ମହାସ୍ନାନ ଓ ଚଣ୍ଡୀ ପାଠର ବ୍ୟବସ୍ଥା ରହିଥାଏ ।