ଘୁମୁସର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ

ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡର ଆଠ ଗୋଟି ବ୍ଳକ ଓ ପାଞ୍ଚ ଗୋଟି ଏନଏସି କୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ୧୯୯୩ ମସିହା ଠାରୁ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷର ଏହି ପ୍ରସ୍ତାବ ନେଇ ସ୍ୱର ଉତ୍ତୋଳନ କରିବା ସହ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଉପଖଣ୍ଡର ବିଭିନ୍ନ ବ୍ଳକର ଯୁବ ଗୋଷ୍ଠୀ ଙ୍କୁ ନେଇ ଗଢି ଉଠିଥିବା ଘୁମୁସର ବାହିନୀ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ଚିଠି ଲେଖା ଏବଂ ଦସ୍ତଖତ ଅଭିଯାନ କରି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ଙ୍କ ଉଦ୍ଦେଶ୍ୟରେ ପ୍ରେରିତ କରୁଛି । ଆଜି ଏହି ଅଭିଯାନରେ ଜଗନ୍ନାଥ ପ୍ରସାଦ ବ୍ଳକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ କଳିଙ୍ଗପଦର ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ଙ୍କ ପାଖକୁ ଘୁମୁସର ଜିଲ୍ଲା ଦାବି ନେଇ ଚିଠି ଲେଖିଛନ୍ତି ।

ଏହି ଅଞ୍ଚଳର ରୁଢାପଦର, କଳିଙ୍ଗପଦର, ଗାୟାଗଣ୍ଡାର ଜନସାଧାରଣ କୌଣସି କାର୍ଯ୍ୟରେ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଉପରେ ନିର୍ଭର କରିଥାନ୍ତି । ଯାହାକି ୧୩୫ କିଲୋମିଟର ଅଟେ । ବାସ୍ତବରେ ଏଠାକାର ଲୋକେ ଜିଲ୍ଲାପାଳଙ୍କ କାଯ୍ୟାଳୟକୁ କୌଣସି କାର୍ଯ୍ୟରେ ଯାଇ ପୁଣି ସେହି ଦିନ ଫେରିବା ସମ୍ଭବ ନୁହେଁ । ଫଳରେ ଏହି ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ଘୋଷଣା କରିବାକୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଏହି ଚିଠି ଲେଖା କାର୍ଯ୍ୟକ୍ରମ ଜରିଆ ରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଘୁମୁସର ବାହିନୀ ସଦସ୍ୟ କେଶବ ବାରିକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ବିପୁଳ ସମର୍ଥନ ରହିଥିବା ଦେଖିବାକୁ ମିଳିଥିଲା ।

ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରାୟ ୨୦୬ଖଣ୍ଡ ଚିଠି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି । ଏଥିରେ ଭଂଜନଗରରୁ ଅରକ୍ଷିତ ପରିଚ୍ଛା ଏବଂ ନଚିକେତା ପ୍ରଧାନ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *