
ମୁମ୍ବାଇ (ଏଜେନ୍ସି) : ‘ଟାଇଗର-୩’ ଜରିଆରେ ପୁଣି ବଡ଼ ପରଦାରେ ନଜର ଆସିବେ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ । ଫିଲ୍ମଟି ଆସନ୍ତା ନଭେମ୍ବର ୧୦ ତାରିଖରେ ଦୀପାବଳି ଅବସରରେ ମୁକ୍ତିଲାଭ କରିବ । ଗତ ଶନିବାର ଏହାର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଆସନ୍ତା ୭ ତାରିଖରେ ଏହାର ଟିଜର୍ ରିଲିଜ୍ ହେବ ।
ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ପ୍ରୋଜେକ୍ଟ ‘ଟାଇଗର’ ଫ୍ରାଞ୍ଚାଇଜିର ୩ୟ ଫିଲ୍ମ । ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆଦିତ୍ୟ ଚୋପ୍ରା । ସଦ୍ୟ ଜାରି ହୋଇଥିବା ପୋଷ୍ଟର୍ରେ ସଲମାନ-କ୍ୟାଟ୍ରିନା ଇଣ୍ଟେନ୍ସ ଲୁକ୍ରେ ନଜର ଆସୁଛନ୍ତି । ଉଭୟ ଅବିନାଶ ସିଂହ ରାଠୋର ଓ ଜୋୟା ଚରିତ୍ର ଜରିଆରେ ପୁଣି ପରଦାକୁ ଫେରିବେ । ୟଶରାଜ୍ ଫିଲ୍ମସ ୟୁନିଭର୍ସର ‘ଟାଇଗର ଜିନ୍ଦା ହୈ’, ‘ୱାର୍’ ଓ ‘ପଠାନ୍’ ସହ ସଂଶ୍ଳିଷ୍ଟ କାହାଣୀ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
ସଲ୍ଲୁ ସୋସିଆଲ ମିଡିଆରେ ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁରେ ଫିଲ୍ମର ପୋଷ୍ଟର ଶେୟାର କରି ଲେଖିଛନ୍ତି ‘ମୁଁ ଆସୁଛି! ଦିୱାଲୀ-୨୦୨୩ରେ ଟାଇଗର୍-୩!’ ଏହି ପୋଷ୍ଟ୍କୁ ନେଇ ସଲ୍ଲୁଙ୍କ ଫ୍ୟାନ୍ ଲଗାତାର ପ୍ରତିକ୍ରିୟା ଦେଉଛନ୍ତି । କ୍ୟାଟ୍ରିନା ପୋଷ୍ଟର ଶେୟାର କରି ଲେଖିଛନ୍ତି ‘ନୋ ଲିମିଟ୍ସ, ନୋ ଫିୟର, ନୋ ଟର୍ନିଂ ବ୍ୟାକ୍! ଏଇ ଦିୱାଲିରେ ‘ଟାଇଗର-୩’ ।’ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ଏକ୍ ଥା ଟାଇଗର’ ଜରିଆରେ ୨୦୧୨ ମସିହାରେ ସ୍ପାଇ ୟୁନିଭର୍ସର ଶୁଭାରମ୍ଭ ହୋଇଥିଲା ।