
ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁରରେ ଶନିବାର ସକାଳୁ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ସିଏଏଫର ୮ମ ବାଟାଲିୟନ ତରଫରୁ ନେଲସନାର ହେମଲାପାରା ଅଂଚଳରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଇନ୍ଦ୍ରାବତୀ ନଦୀ କୂଳରେ ରହିଥିବା ବଙ୍ଗୋଲି ଘାଟ ନିକଟରେ ଯବାନ ଜଣକ ଭୁଲବଶତଃ ଲ୍ୟାଣ୍ଡମାଇନ୍ ଉପରେ ଚଢ଼ିଯାଇଥିଲେ। ଫଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯବାନ ବହୁ ଦୂରକୁ ଛିଟିକି ପଡିଥିଲେ। ଯବାନଙ୍କ ଦୁଇଟି ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି।ଆହତ ଯବାନ ଜଣକ ହେଲେ ରାମନାଥ ମୌର୍ଯ୍ୟ। ଆହତ ଯବାନଙ୍କୁ ତୁରନ୍ତ ହେଲିକେପ୍ଟର ଯୋଗେ ପ୍ରଥମ ନେଲସନାର ପରେ ଦନ୍ତେୱାଡା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏଠାରେ ମଧ୍ୟ ସ୍ଥିତି ଖରାପ ଥିବାରୁ ରାୟପୁର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି।
ପ୍ରକାଶ ଥାଉକି ଦୁଇ ଦିନ ତଳେ ଫଣ୍ଡୁରି ବ୍ରିଜ ନିକଟରେ ନକ୍ସଲ ଦୁଇଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ, ଯାହାକୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ ଏବଂ ପରେ ନିଷ୍କ୍ରିୟ କରି ଦେଇଥିଲେ। ଯବାନଙ୍କ ଟାର୍ଗେଟ କରି ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ଏବଂ ଆମ୍ବୁସ ଲଗାଇ ବସିଥିଲେ। ଯବାନ ସେଠାରେ ପହଞ୍ଚିବା ପରେ ନକ୍ସଲ ବିସ୍ଫୋରଣ କଲେ।