
ଜଳେଶ୍ୱର: ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଗୁଜୁରାଟରୁ ଫେରିଥିବା କିଛି ପ୍ରବାସୀଙ୍କୁ ବାଲିଆପାଳ ବିଡିଓ ଛବି ରାଣୀ ସାହୁ ଗାଳି ଗୁଲଜ କରୁଥିବା ଏଥିରେ ଦେଖିବାକୁ ମିଳୁଛି।
ଭିଡିଓରେ ସେ କହୁଛନ୍ତି, ମୁଁ ଜଣେ ଓଏଏସ୍ ଅଫିସର, ତୋ ଭଳି ଦାଦନ ଖଟୁନି। ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ପ୍ରତିକ୍ରିୟାରେ, ଏହି ଗାଳି ଗୁଲଜ କଥା ନିଜେ ବିଡିଓ ଛବିରାଣୀ ସାହୁ ମଧ୍ୟ ସ୍ୱୀକାର କରିବା ସହ ପ୍ରବାସ ଫେରନ୍ତାମାନେ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା କହିଛନ୍ତି।
ତାଙ୍କ କହିବା କଥା ହେଲା, ସେ ନିଜେ ପ୍ରବାସ ଫେରନ୍ତାଙ୍କୁ ବ୍ଲକ୍ କାର୍ଯ୍ୟାଳୟ ନିକଟକୁ ନେଇଯାଇଥିଲେ। ଏବଂ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସେମାନଙ୍କ ପାଇଁ କିଛି ସମୟ ଅପେକ୍ଷା କରିବାର ବ୍ୟବସ୍ଥା ହୋଇଥିବା କଥା ସେ ପ୍ରବାସୀଙ୍କୁ କହିଥିଲେ। କିନ୍ତୁ ସେମାନେ କିଛି ନଶୁଣି ବାହାରେ ଖରାରେ ଠିଆ ହୋଇ ଯୁକ୍ତି ତର୍କ ଓ ଅସମ୍ମାନ କରିବାରୁ ବିଡିଓ ବିରକ୍ତ ହୋଇ ଗାଳି କରିଥିଲେ। ଏଥିସହ ଯେଉଁମାନେ ଏହି ଭିଡିଓକୁ ତାଙ୍କ ବିରୋଧରେ ଉଦ୍ଦେଶ୍ୟ ମୂଳକ ଭାବେ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ଛବିରାଣୀ।
ପ୍ରବାସୀ ଓଡିଆ ଶ୍ରମିକଙ୍କ ପ୍ରତି କରିଥିବା ଅସଦାଚରଣ ଘଟଣାର ତଦନ୍ତ ପାଇଁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆଜି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲାପାଳଙ୍କଠାରୁ ଏ ସମ୍ପର୍କରେ ଏକ ରିପୋର୍ଟ ମଗାଯାଇଛି। ସରକାର ଏ ଘଟଣା ବିଷୟରେ ଜାଣିଛନ୍ତି ଏବଂ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।