
ଭୁବନେଶ୍ୱର: ‘ଝିଅ ନୁହେଁ ତୁ କରୋନା ଭାଇରସ୍’ ଗୀତ ଗାଇ ବିବାଦରେ ଫସି ଯାଇଥିଲେ ହ୍ୟୁମାନ୍ ସାଗର। ମହାମାରୀ ସମୟରେ ଏପରି ଗୀତ ଶୁଣିବା ପରେ ଲୋକେ ତାଙ୍କୁ ଅନେକ ସମାଲୋଚନା କରିଥିଲେ। ଏହାପରେ ସେ ନିଜ ଫେସ୍ବୁକ୍ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓ ମାଧ୍ୟମରେ କ୍ଷମା ମାଗିଛନ୍ତି।
ସେ କହିଛନ୍ତି,“ ସାରା ଓଡ଼ିଶାବାସୀ ମୋ ପାଇଁ ଭଗବାନ ସଦୃଶ। କାହିଁକି ନା, ଆପଣ ସମସ୍ତଙ୍କ ପାଇଁ ମୋତେ ଦାନ ମିଳେ, ମୋର ପରିବାର ଚଳେ। ମୋର ଔକାତ ନାହିଁ, କେଉଁ ଝିଅକୁ, ନାରୀକୁ କିମ୍ବା ସ୍ତ୍ରୀଙ୍କୁ ଗୀତ ମାଧ୍ୟମରେ କିମ୍ବା କଥା ମାଧ୍ୟମରେ କମେଣ୍ଟ ମାରିବି କି ପରିହାସ କରିବି। କେବେ ବି ମୁଁ ଏହା କରିପାରିବିନି। ୨୦ ଦିନ ପୂର୍ବରୁ ଏହି ଗୀତ ରିଲିଜ୍ ହୋଇଥିଲା। ଯେତେବେଳେ ଏହି ଗୀତ ପ୍ରସ୍ତୁତ ହୋଇଥିଲା କିମ୍ବା ଗାଇ ଥିଲି ସେତେବେଳେ କରୋନା ଭାଇରସ ଉପରେ ମୋର ସେତେ ଜ୍ଞାନ ନଥିଲା। ସମଗ୍ର ପୃଥିବୀରେ ବି ସେତେବେଳେ ଏହି ରୋଗ ବ୍ୟାପି ନଥିଲା। ହେଲେ ଅଭିଯୋଗ ଆସିବା ପରେ ଆମେ ସେଇ ଗୀତକୁ ୟୁଟ୍ୟୁବ୍ରୁ ଡିଲିଟ୍ କରିଦେଇଛୁ। ମୁଁ ଏହା କହିବି ଯେ, ମୋ ଘରେ ବି ମୋର ସ୍ତ୍ରୀ, ଝିଅ, ମା ଓ ଶାଶୂ ଅଛନ୍ତି। ମୁଁ ସମସ୍ତଙ୍କୁ ସମ୍ମାନ ଜଣାଏ।”
ଯଦି ଲିରିକାଲି ଏହି ଗୀତ ଆପଣଙ୍କୁ କଷ୍ଟ ଦେଇଥାଏ ତେବେ ମୁଁ ଦୁଃଖିତ ବୋଲି କହି କ୍ଷମା ମାଗିବା ସହ ସମସ୍ତଙ୍କୁ କରୋନା ଭାଇରସ୍ ଠାରୁ ଦୂରେଇ ରହିବା ପାଇଁ ସଚେତନତା ଟିପ୍ସ ଦେଇଛନ୍ତି ।
ସୂଚନା ଅନୁଯାୟୀ, କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ନେଇ ହ୍ୟୁମାନ ସାଗର ‘ଝିଅ ନୁହେଁ ତୁ କରୋନା ଭାଇରସ୍’ ଗୀତ ଗାଇ ବିବାଦ ଘେରକୁ ଆସିଥିଲେ। ଏନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା।