
ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦେବା ପାଇଁ ଯେଉଁ ମୃତ୍ୟୁ ପରୱାନା ଜାରି ହୋଇଥିଲା ତାହା ଉପରେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫାଶୀ ଖୁଣ୍ଟରେ ଦୋଷୀମାନେ ଝୁଲିବାକୁ ମାତ୍ର ୧୩ ଘଣ୍ଟା ବାକି ଥିବାବେଳେ ଏହି ସମୟରେ ଅଦାଲତ ଏହା ଉପରେ ରହିତାଦେଶ ଲାଗୁ କରିଛନ୍ତି। ଫଳରେ ଅଭିଯୁକ୍ତମାନଙ୍କୁ କେବେ ଫାଶୀ ହେବ ତାହା ଅନିଶ୍ଚିତତା ମଧ୍ୟକୁ ପୁଣି ଠେଲି ହୋଇଯାଇଛି। ତୃତୀୟ ଥର ପାଇଁ ଦୋଷୀମାନଙ୍କ ଫାଶୀ ଉପରେ ରହିତାଦେଶ ଜାରି ହୋଇଛି। ପ୍ରଥମ ଥର ପାଇଁ ଦୋଷୀମାନଙ୍କୁ ଜାନୁଆରି ୨୨ରେ, ଦ୍ବିତୀୟ ଥର ଫେବ୍ରୁଆରି ୧ ତାରିଖରେ ଏବଂ ତୃତୀୟ ଥର ମାର୍ଚ୍ଚ ୩ ତାରିଖରେ ଫାଶୀ ଦେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।
ଦୋଷୀ ପୱନ ଗୁପ୍ତା ଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ଯୋଗୁ ଏହା ଉପରେ ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ରହିତାଦେଶ ଜାରି କରିଛନ୍ତି। ବିଚାରପତି ରାଣା କହିଛନ୍ତି ଯେ ଦୋଷୀ ପୱନର ରାଜକ୍ଷମା ରାଷ୍ଟ୍ରପତିଙ୍କ ନିକଟରେ ବିଚାର ପାଇଁ ରହିଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ତେଣୁ ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଆଯିବାକୁ ଥିବା ଫାଶୀକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା। ଫାଶୀକୁ ଅଟକାଇବା ପାଇଁ ଦୋଷୀ ପୱନ କରିଥିବା ଆବେଦନକୁ ସୋମବାର ସକାଳେ ପ୍ରଥମେ ବିଚାରପତି ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିନ୍ତୁ ଫାଶୀକୁ ଆଜୀବନ ଜେଲ୍ରେ ପରିଣତ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପୱନ ଆବେଦନ କରିଥିବାରୁ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଦୋଷୀ ପୱନର କ୍ୟୁରେଟିଭ ପିଟିସନକୁ ସୁପ୍ରିମ କୋର୍ଟ ଆଜି ଖାରଜ କରିଦେବା ପରେ ଓକିଲ ଏ ପି ସିଂହ ତୁରନ୍ତ ରାଜକ୍ଷମା ଆବେଦନ କରିଥିଲେ। ପୂର୍ବରୁ ଅନ୍ୟ ୩ ଦୋଷୀଙ୍କର କ୍ୟୁରେଟିଭ ପିଟିସନକୁ ଅଦାଲତ ଖାରଜ କରିସାରିଛନ୍ତି। ମୁକେଶ ସିଂହ ଏବଂ ବିନୟ ଶର୍ମାର କ୍ୟୁରେଟିଭ ପିଟିସନକୁ ଜାନୁଆରି ୧୪ରେ ଏବଂ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନକୁ ଜାନୁଆରି ୩୦ରେ ଅଦାଲତ ଖାରଜ କରିଥିଲେ। ଶୁଣାଣି ବେଳେ ବିଚାରପତି ରାଣା କହିଥିଲେ ଯେ ୭ ଦିନ ମଧ୍ୟରେ ଆଇନଗତ ସୁବିଧା ସୁଯୋଗକୁ ସମ୍ପୂର୍ଣ୍ଣ କରିବା ପାଇଁ ହାଇକୋର୍ଟ ଦୋଷୀମାନଙ୍କୁ ଦେଇଥିବା ସମୟସୀମା ଶେଷ ହୋଇସାରିଛି।