
ମେଲବୋର୍ଣ୍ଣ ୧/୩: ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ସବୁ ଲିଗ୍ ମ୍ୟାଚ୍ ଜିତିଛି ଭାରତ । ଦଳ ଶେଷ ଲିଗ୍ରେ ଶ୍ରୀଲଙ୍କାକୁ ୭ ୱିକେଟ୍ରେ ହରାଇଥିଲା । ସ୍ପିନର ରାଧା ଯାଦବଙ୍କ ଘାତକ ବୋଲିଂ ସାଙ୍ଗକୁ ଓପନର ସେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯/୧୧୩ରନ୍ କରିଥିଲା । ଏହାର ଜବାବରେ ଭାରତ ୧୪.୪ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ୪ ଓଭରରେ ୨୩ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିବା ରାଧା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଏଥିସହ ଭାରତ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ୧୨ରନ୍ରେ ଦଳ ଓପନର ଉମେଶା ଥିମାସିନି (୨)ଙ୍କୁ ହରାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ହର୍ଷିତା ଅନ୍ୟ ଓପନର ଚାମରି ଆଟ୍ଟାପାଟୁ ଜୟାଙ୍ଗିନୀଙ୍କ ସହ ମିଶି ସ୍କୋରକୁ ଆଗେଇ ନେଇଥିଲା। ଦଳୀୟ ସ୍କୋର ୪୨ବେଳେ ହର୍ଷିତା (୧୨) ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ମାନେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇ ପାରିନଥିଲେ । ତେବେ ଜୟାଙ୍ଗିନୀ ୩୩ ଓ କଭିସା ଦିଲହାରି ଅପରାଜିତ ୨୫ରନ୍ ଯୋଗ କରିବାରୁ ଦଳୀୟ ସ୍କୋର ୯/୧୧୩ରନ୍ରେ ପହଞ୍ଚିଥିଲା । ଭାରତ ପକ୍ଷରୁ ରାଧା ୪ଟି, ରାଜେଶ୍ୱରୀ ଗାଏକୱାର୍ଡ଼ ୨ଟି ଏବଂ ଦୀପ୍ତି ଶର୍ମା, ଶିଖା ପାଣ୍ଡେ ଓ ପୁନମ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
୧୧୪ରନ୍ ବିଜୟ ଲକ୍ଷ୍ୟର ପିଛା କରି ଓପନର ସେଫାଳି ଓ ମନ୍ଦନା ପ୍ରଥମ ୱିକେଟ୍ରେ ୩୪ରନ୍ ଯୋଗ କରିବା ପରେ ମନ୍ଦନା (୧୭) ପାଭିଲିୟନ ଫେରିଥିଲେ । ଏହାପରେ ସେଫାଳି ଓ ଅଧିନାୟିକା ହର୍ମନପ୍ରୀତ ଦ୍ରୁତ ବେଗରେ ସ୍କୋରକୁ ଆଗେଇ ନେଇଥିଲେ । ଦଳୀୟ ସ୍କୋର ୮୧ବେଳେ ହର୍ମନପ୍ରୀତ ବ୍ୟକ୍ତିଗତ ୧୫(୨ଚୌକା, ୧ଛକା)ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସେଫାଳି ୩୪ବଲ୍ରୁ ୭ଚୌକା ଓ ୧ଛକା ସହାୟତାରେ ୪୭ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ । ତେବେ ଜେମିମା ରୋଡ୍ରିକ୍ସ ଅପରାଜିତ ୧୫ ଓ ଦୀପ୍ତି ଅପରାଜିତ ୧୫ରନ୍ କରିବାକୁ ଭାରତ ୩୨ବାକି ଥାଇ ବିଜୟ ହାସଲ କରି ନେଇଥିଲା ।