
କଟକ : ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଆଜି ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ହାଇକୋର୍ଟ ପୁରୁଣା ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଶପଥ ପାଠ କରାଇଥିଲେ । ଉତ୍ସବ ପ୍ରାରମ୍ଭରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଜଷ୍ଟିସ୍ ପାଣିଗ୍ରାହୀଙ୍କ ନିଯୁକ୍ତି ସଂକ୍ରାନ୍ତରେ ରାଷ୍ଟ୍ରପତି ଭବନରୁ ଆସିଥିବା ବିଜ୍ଞପ୍ତି ପାଠ କରିଥିଲେ ।
ଏହି ଶପଥପାଠ ଉତ୍ସବରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ମିଶ୍ର, ଜଷ୍ଟିସ୍ ସି. ଆର. ଦାଶ, ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତି, ଜଷ୍ଟିସ୍ ବି. ଆର. ଷଡ଼ଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାସ, ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ପ୍ରମଥ କୁମାର ପଟ୍ଟନାୟକ, ଜଷ୍ଟିସ୍ କେ. ଆର. ମହାପାତ୍ର, ଜଷ୍ଟିସ୍ ଏ. କେ. ମିଶ୍ର ଏବଂ ଜଷ୍ଟିସ୍ ବି. ପି. ରାଉତରାୟ, ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବି. କେ. ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ଆର୍ଡିସି ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଡ. ସତ୍ୟଜିତ୍ ମହାନ୍ତିି, ପୁଲିସ୍ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ଅଖିଳେଶ୍ୱର ସିଂ ଏବଂ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ବାରପୁଡୁଗିଆ ଗ୍ରାମରେ ୧୯୭୨ ମସିହା ଜୁଲାଇ ୨୯ ତାରିଖରେ ଜଷ୍ଟିସ୍ ସଞ୍ଜୀବ ପାଣିଗ୍ରାହୀଙ୍କ ଜନ୍ମ । ରାଜେନ୍ଦ୍ର କଲେଜରୁ ଉଚ୍ଚ ଶିକ୍ଷା ସମାପ୍ତ ପରେ ସମ୍ବଲପୁର ଏଲ୍. ଆର୍. ଆଇନ ମହାବିଦ୍ୟାଳୟ ଏବଂ ପରେ ବାଙ୍ଗାଲୋର ନ୍ୟାସନାଲ ଲ’ ସ୍କୁଲରୁ ସେ ଆଇନ ଶିକ୍ଷା ଗ୍ରହଣ କରିଥିଲେ । ସେ ୨୦୦୬ ମସିହାରେ ସୁପ୍ରିମ୍କୋର୍ଟର ବିଶିଷ୍ଟ ଆଇନଜୀବୀ ଅଭିଷେକ ମନୁ ସଂଘଭିଙ୍କ ଅଧୀନରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଥିଲାବେଳେ ଜଣେ ଆଇନ ବିଶାରଦ ଭାବେ ତାଙ୍କ ଅନେକ ଲେଖା ବହୁ ଅଗ୍ରଣୀ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଛି ।
ରେଳବାଇ ଟ୍ରାକ୍ରେ ହାତୀଙ୍କ ମୃତ୍ୟୁ, ମଧ୍ୟାହ୍ନଭୋଜନର ମାନରେ ଉନ୍ନତି, ପ୍ରତି ଜିଲ୍ଲାରେ ଡାଇଲେସିସ୍ ମେସିନ୍ ବସାଇବା, ବୃଦ୍ଧ, ବୃଦ୍ଧାଙ୍କ ପାଇଁ ଓଲଡ୍ ଏଜ୍ ହୋମ୍ ତିଆରି କରିବା ଏବଂ ସେମାନଙ୍କ ଲାଗି ଅଧିକ ଭତ୍ତାର ବ୍ୟବସ୍ଥା କରିବାକୁ ନେଇ ମଧ୍ୟ ସେ ମାମଲା ରୁଜୁ କରିଥିଲେ । ଆଇନ ଉପରେ ଅନୁଷ୍ଠିତ ଅନେକ ଅନ୍ତର୍ଜାତୀୟ ଏବଂ ଜାତୀୟ ଆଲୋଚନାଚକ୍ରରେ ସେ ଭାଗ ନେଇଛନ୍ତି । ଜଷ୍ଟିସ୍ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି ।