
ନୂଆଦିଲ୍ଲୀ: ୩୫ରେ ପହଞ୍ଚିଛି ଦିଲ୍ଲୀ ହିଂସାକାଣ୍ଡ ମୃତ୍ୟୁସଂଖ୍ୟା। ଗଗନ ବିହାର ଓ ଜୋହରିପୁରରୁ ଆଜି ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ଶହରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେପଟେ ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୧୩୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୦୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସେହିପରି ହିଂସା ମାମଲାରେ ୪୮ଟି ଏଫଆଇଆର ରୁଜୁ କରାଯାଇଛି।
ଚାନ୍ଦବାଗ୍, ମୌଜପୁର, ଜାଫରାବାଦ୍, ଭଜନପୁରା ଓ କରଓ୍ୱାଲନଗର ଅଞ୍ଚଳରେ ସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଛି। ଫଳରେ କିଛି ସ୍ଥାନରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନ ଫ୍ଲାଗମାର୍ଚ୍ଚ କରିଛନ୍ତି।
ସେହିପରି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର କିଛି ପରୀକ୍ଷାକୁ ଆଜି ବି ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଦଙ୍ଗା କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ୍ ଘୋଷଣା କରିଛନ୍ତି।