
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର): ବଲାଙ୍ଗିର ଜିଲ୍ଲା ମୁରିବାହାଲରୁ ଟିକ୍ରାପଡା ରାସ୍ତାର ଅନ୍ତର୍ଲା ଗ୍ରାମ ନିକଟରେ ସୋମବାର ବିଦ୍ୟୁତ୍ ବିଭାଗର ଏକ ବୋଲେରୋ ବାଇକ୍କୁ ଧକ୍କା ଦେବାରୁ ବାଇକ୍ରେ ଥିବା ୩ ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର କୁଳମଣି ଛୁରା(୬୦)ଙ୍କ ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳ ୫ଟା ସମୟରେ ପରଲୋକ ହୋଇଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ପାଟଣାଗଡ ବିଦ୍ୟୁତ୍ ବିଭାଗରେ ନିୟୋଜିତ ଏକ ବୋଲେରୋ ଓଡ଼ି ୦୩ ଇ ୫୨୨୨ ଅନ୍ତର୍ଲା ପେଟ୍ରୋଲ ପମ୍ପକୁ ଆସି ଫେରୁଥିବା ବେଳେ ସେହି ରାସ୍ତାରେ ଯାଉଥିବା ବାଇକ୍ ଓଡ଼ି ୦୩ ଜେଡ୍ ୯୯୮୦କୁ ପଛପଟୁ ଧକ୍କା ଦେଇଥିଲା । ବାଇକ୍ରେ କଣ୍ଟାବାଞ୍ଜି ଥାନା ସର୍ଗୁଲ ଗ୍ରାମର ତିନିଜଣ ବ୍ୟକ୍ତି ବଲାଙ୍ଗିର ଜେଲକୁ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିବା ବେଳେ ଘଟଣାସ୍ଥଳରେ ସଂପୃକ୍ତ ବୋଲେରୋ ଧକ୍କା ଦେବା ଫଳରେ ତିନି ବାଇକ୍ ଆରୋହୀ ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଥିଲେ । ବାଇକ୍ ଆରୋହୀ ସର୍ଗୁଲ ଗ୍ରାମର ବୁଦ୍ଧିସାଗର ବାଉକ(୪୫), ଭଜମନ ବାଉକ(୫୫) ଓ କୁଳମଣି ଛୁରା(୬୦)। ବାଇକ୍କୁ ଧକ୍କା ଦେବା ପରେ ବିଦ୍ୟୁତ୍ ବିଭାଗ ବୋଲେରୋର ଡ୍ରାଇଭର୍ ସମେତ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍କୁ ପଠାଇଥିଲେ । ବୁଦ୍ଧିସାଗରଙ୍କ ମୁହଁରେ ଗୁରୁତର ଆଘାତ ଲାଗି ମୁହଁ ରକ୍ତାକ୍ତ ହୋଇପଡ଼ି ଥିବା ବେଳେ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା । ଅତ୍ୟନ୍ତ ଗୁରୁତର ବୁଦ୍ଧିସାଗର ଓ ଭଜମନ ଏବେ ଭବାନୀପାଟଣା ମେଡ଼ିକାଲ୍ରେ ଜୀବନମରଣ ସହ ସଂଘର୍ଷ କରୁଥିବା ଜଣାପଡିଛି । ଅନ୍ୟ ଗୁରୁତର କୁଳମଣିଙ୍କୁ ବଲାଙ୍ଗିରରୁ ରାୟପୁର ସ୍ଥାନାନ୍ତର କରି ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଦୁର୍ଘଟଣାରେ ବୋଲେରୋର ମଧ୍ୟ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା । ମୁରିବାହାଲ ଥାନା ପୁଲିସ ଏସ୍ଆଇ ଦନାର୍ଦମ ଓରାମ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଥିଲେ । ବିଦ୍ୟୁତ୍ ବିଭାଗ ପକ୍ଷରୁ ମୃତ ଓ ଗୁରୁତର ପରିବାରମାନଙ୍କୁ ତୁରନ୍ତ ଚିକିତ୍ସା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସର୍ଗୁଲ ଗ୍ରାମବାସୀ ଦାବୀ କରିଛନ୍ତି । ମୁରିବାହାଲରେ ଥିବା ସମ୍ପର୍କୀୟ କାହ୍ନା ବାଉକଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୧୭୫/୨୪ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।