
କୁତ୍ରା (ରିପୋର୍ଟ: ଦେବେନ୍ଦ୍ର ପୁରୋହିତ): ଚଳିତ ସାଧାରଣ ନିର୍ବାଚନ ରେ ଆଜି ସୁଦ୍ଧା ଷଷ୍ଠ ପର୍ଯ୍ୟାୟ ଭୋଟ୍ ଗ୍ରହଣ କାର୍ଯ୍ୟ ଶେଷ ହୋଇଛି। ଗତ ୨୦ ତାରିଖ ଦିନ ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ଏକମାତ୍ର ଲୋକସଭା ଆସନ ସୁନ୍ଦରଗଡ଼ ସହ ଜିଲ୍ଲାର ୭ ଗୋଟି ଯାକ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ସମାପ୍ତ ହୋଇ ଯାଇଛି। ଆଲୋଚ୍ୟ ରାଜଗାଙ୍ଗପୁର ସଂରକ୍ଷୀତ( ଆଦିବାସୀ) ବିଧାନସଭା ଆସନ ରେ ମଧ୍ୟ ଶାନ୍ତି ଶୃଙ୍ଖଳା ର ସହ ଭୋଟ୍ ଗ୍ରହଣ ଶେଷ ହୋଇଛି। ଏହି ଆସନ ରେ ଆସୀନ ବିଧାୟକ ଡାକ୍ତର ସି ଏସ୍ ରାଜେନ ଏକ୍କା(କଂଗ୍ରେସ),ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ଙ୍କ ପୁତ୍ର ଅନୀଲ ବରୁଆ (ବିଜେଡି) ଓ ନରସିଂହ ମିଞ୍ଜ(ଭାଜପା) ଙ୍କ ବ୍ୟତୀତ ଆଉ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ଏଠାରେ ମୁଖ୍ୟତଃ କଂଗ୍ରେସ, ବିଜେଡି ଏବଂ ଭାଜପା ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହୋଇଥିବା ବୁଦ୍ଧିଜୀବୀ ମହଲ ଅନୁମାନ କରୁଥିବା ବେଳେ ବିଜେଡି ସମର୍ଥକ ଗୋଷ୍ଠି ଏକ ଚାଟିଆ ଭାବେ ବିଜେଡି ଭୋଟ ପାଇଥିବା ଦୃଢୋକ୍ତି ପ୍ରକାଶ କରୁଛନ୍ତି। ମାତ୍ର ଡାକ୍ତର ରାଜେନ ଏକ୍କା ବିରୋଧୀ ଦଳ ରେ ଥାଇ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଗତ ପାଞ୍ଚ ବର୍ଷ ଯଥେଷ୍ଟ ସମୟ ଦେଇ ଜନସାଧାରଣ ରେ ଏକ ସୁସମ୍ପର୍କ ସ୍ଥାପନ କରିବା, ସୁଖ ଦୁଃଖ ରେ ସାଧାରଣ ଙ୍କ ଦୁଆର ମୁହଁ ରେ ଉପସ୍ଥିତ ରହିବା ଏବଂ ବିଶେଷ ଭାବରେ ସେ ଜଣେ ଡାକ୍ତର ହୋଇ ଥିବାରୁ କୋରୋନା କାଳରେ ଲୋକଙ୍କୁ ପ୍ରତ୍ୟକ୍ଷ୍ୟ ଭାବେ ନିଃସ୍ୱାର୍ଥପର ସେବା ଯୋଗାଇଥିବାରୁ ସାଧାରଣ ରେ ସେ ଗ୍ରହଣୀୟ ହୋଇଛନ୍ତି। ତେବେ ତାଙ୍କ ଲୋକପ୍ରିୟତା ଯୋଗୁଁ ଲୋକେ ତାଙ୍କୁ ପୁନର୍ବାର ବିଧାନସଭା ସଭା କୁ ନିର୍ବାଚିତ କରିବେ ବୋଲି କଂଗ୍ରେସ କର୍ମୀ ମାନେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ପରିବର୍ତିତ ରାଜନୈତିକ ପରିସ୍ଥିତି ସହ ଓଡ଼ିଶା ରେ ମୋଦି ପ୍ରଭାବ ଯୋଗୁଁ ଭାଜପା କର୍ମୀ ମାନେ ମଧ୍ୟ ବାଜିମାତ କରିନେବେ ବୋଲି ଭରସା କରିଛନ୍ତି। ଚା ଖଟି ମାନଙ୍କ ରେ ଅଙ୍କାକଷା ଚାଲିଛି ସିନା ହେଲେ ପାଠ ଛିଡୁନି , ସମସ୍ତଙ୍କର ସେଇ ଜୁନ ୪ ତାରିଖ କୁ ଅପେକ୍ଷା।