ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ଟୁଡେ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (ଆଇମା) ର ୬୮ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ଜାତୀୟ ମ୍ୟାନେଜମେଣ୍ଟ ଦିବସ ଅବସରରେ  ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଶିଳ୍ପ ସମାଜକୁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ହେବ ଅନଷ୍ଟପେବୁଲ । ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ଉତ୍କର୍ଷତା ହାସଲ କରିବ। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ଅଧିକ ଭରସା କରିବା ଏବଂ ପୁଞ୍ଜିନିବେଶ କରିବା ଆବଶ୍ୟକ । ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନ ପରି ଅନୁଷ୍ଠାନ ଗୁଡିକ ଏ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଜରୁରୀ । ଲୋକମାନଙ୍କୁ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେବା ସହିତ ଭାରତର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ସେମାନଙ୍କ ଭୂମିକା ପ୍ରତିପାଦିତ କରିବା ଦରକାର ।

ସେ କହିଛନ୍ତି ଯେ ଆମର ସାମୂହିକ ବୁଦ୍ଧିମତାକୁ ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯିବା ଉଚିତ୍ । ଏହି କଥାକୁ  ଆମ ଭିତରେ ସୀମିତ ନ ରଖି ପରବର୍ତ୍ତୀ ପିଢ଼ି ପାଖରେ ମଧ୍ୟ ପହଞ୍ଚାଇବା ଦରକାର । ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଏହା ଦ୍ୱାରା ବିପୁଳ ସୁଯୋଗ ସୃଷ୍ଟି ହେବ । ଏହି ସୁଯୋଗର ବ୍ୟବହାର କରିବା ସହ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଆମ ଆଗରେ ଚ୍ୟାଲେଞ୍ଜ ରହିଛି । ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ବିଚାର ବିମର୍ଶ କରିବା ପାଇଁ ଶ୍ରୀ ପ୍ରଧାନ ଶିଳ୍ପ ସମାଜକୁ ପରାମର୍ଶ ଦେଇଥିଲେ ।

ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନର ପ୍ରତିଷ୍ଠା ଦିବସ ପାଇଁ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ ମ୍ୟାନେଜମେଣ୍ଟ, ସମାଜସେବା ଏବଂ ଥଟ୍ ଲିଡରସିପ୍ ନେତୃତ୍ୱ ପାଇଁ ପୁରସ୍କୃତ ହୋଇଥିବା ସମସ୍ତ ବିଶିଷ୍ଟ ଶିଳ୍ପପତିଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *