ଇମ୍ଫାଲ ଆକାଶରେ ଅଜଣା ଉଡନ୍ତା ଥାଳିଆ ! ସର୍ଚ୍ଚ ଅପରେସନରେ 2 ରାଫେଲ ବିମାନ

ଇମ୍ଫାଲ (ଏଜେନ୍ସି)ଇମ୍ଫାଲ ବିମାନ ବନ୍ଦର ନିକଟବର୍ତ୍ତୀ ବାୟୁସୀମାରେ ଗତକାଲି ଅପରାହ୍ନରେ ଅଜଣା ଉଡନ୍ତା ବସ୍ତୁ ଦୃଶ୍ୟମାନ ହେବା ଘଟଣାକୁ ଗମ୍ଭୀରତାର ସହ ନେଇଛି ବାୟୁସେନା । ଗତକାଲି ଇମ୍ଫାଲ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଥିଲେ । ବିମାନ ବନ୍ଦର କର୍ତ୍ତୃପକ୍ଷ ଶିଲଂ ସ୍ଥିତ ଇଷ୍ଟର୍ଣ୍ଣ ଏୟାରଫୋର୍ସ କମାଣ୍ଡକୁ ଏସମ୍ପର୍କରେ ଅବଗତ କରିଥିଲେ । ଆଜି ବାୟୁସେନାର ଦୁଇଟି ଅତ୍ୟାଧୁନିକ ରାଫେଲ ବିମାନକୁ ସର୍ଚ୍ଚ ଅପରେସନରେ ନିୟୋଜିତ କରାଯାଇଛି ।

ବାୟୁସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅତ୍ୟାଧୁନିକ ସେନସର ଓ ଅନ୍ୟ ଟାର୍ଗେଟ ସର୍ଚ୍ଚିଂ ଫିଚର ସହ ଦୁଇଟି ଲୋ-ଫ୍ଲାଇଂ କ୍ଷମତା ସମ୍ପନ୍ନ ରାଫେଲ ବିମାନ ଇମ୍ଫାଲ ଓ ଏହାର ଆଖପାଖ ବାୟୁସୀମାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଶେଷ ହୋଇଥିଲେ ସୁଦ୍ଧା ଅଜଣା ଉଡନ୍ତା ବସ୍ତୁ ସମ୍ପର୍କରେ କୌଣସି ସୂଚନା ମିଳିନି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହା ଗତକାଲି ଅପରାହ୍ନରେ କିଛି ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବା ପରେ କ୍ରମଶଃ ନିରୁଦ୍ଦିଷ୍ଟ ହୋଇଯାଇଥିଲା । ଏହା ଖାଲି ଆଖିରେ ଦୃଶ୍ୟମାନ ହୋଇଥିଲେ ସୁଦ୍ଧା ଏହାର ଆକାର ସମ୍ପର୍କରେ କେହି ସ୍ପଷ୍ଟ କରିପାରୁନାହାନ୍ତି ।

ଗତକାଲି ଅପରାହ୍ନ ପ୍ରାୟ 2.30 ମିନିଟରେ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା CISF ଠାରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏୟାରପୋର୍ଟ ନିକଟବର୍ତ୍ତୀ ଆକାଶରେ ଅଜଣା ଉଡନ୍ତା ବସ୍ତୁ ଦୃଶ୍ୟମାନ ହେଉଥିବା ସୂଚନା ପାଇବା ପରେ ବିମାନ ସେବା ସାମୟିକ ଭାବେ ସ୍ଥଗିତ ରଖିଥିଲା । ଦୁଇଟି ବିମାନକୁ ଡାଇଭର୍ଟ କରାଯିବା ସହ ଅନ୍ୟ ଦୁଇଟିର ଉଡାଣ ମଧ୍ୟ ବିଳମ୍ବ ହୋଇଥିଲା । ତେବେ ଗତକାଲି ପ୍ରାୟ 3 ଘଣ୍ଟା ବିଳମ୍ବରେ ଇମ୍ଫାଲ ଏୟାରପୋର୍ଟରେ ବିମାନ ସେବା ପୁଣି ସ୍ବାଭାବିକ ହୋଇଥିଲେ ସୁଦ୍ଧା ଏହି ଉଡନ୍ତା ବସ୍ତୁ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନଥିଲା । ଆଜି ବାୟୁସେନା ମଧ୍ୟ ତାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ଏହାକୁ ଠାବ କରିପାରିନି ।

ତେବେ ହିଂସା ପ୍ରଭାବିତ ମଣିପୁର ଉତ୍ତର-ପୂର୍ବର ଏକ ସୀମାନ୍ତ ରାଜ୍ୟ । ଏହାର ପଡୋଶୀ ମିଆଁମାରରେ ମଧ୍ୟ ବର୍ତ୍ତମାନ ସାମରିକ ବିଦ୍ରୋହ ଲାଗି ରହିଛି । ନିକଟରେ ମିଆଁମାରର କିଛି ନାଗରିକ ଓ ସେନା ଯବାନ ମଧ୍ୟ ହିଂସା କାରଣରୁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ସେମାନଙ୍କୁ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲା ଭାରତ । ମଣିପୁର ହିଂସାରେ ମଧ୍ୟ ମିଆଁମାର ଆତଙ୍କୀ ସଂଗଠନର ଭୂମିକା ସାମ୍ନାକୁ ଆସିଥିଲା । ତେଣୁ ଏହି ଅଜଣା ଉଡନ୍ତା ବସ୍ତୁ ଦୃଶ୍ୟମାନ ହେବାକୁ ଅତି ଗମ୍ଭୀରତାର ସହ ନିଆଯାଉଛି ।

Leave a Reply

Your email address will not be published. Required fields are marked *