
ତୁମୁଡ଼ି ବନ୍ଧ (ଓଡ଼ିଶା ଟୁଡେ): ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ତିଥିରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା କରିଥିଲେ କିଛି ଦୁବୃର୍ତ୍ତ । ସେ ଲୋମହର୍ଷଣକାରୀ ଘଟଣାକୁ ଇତି ମଧ୍ୟରେ ୧୫ ବର୍ଷ ବିତି ଯାଇଛି । ସ୍ବାମୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ଜନ୍ମାଷ୍ଟମୀ ତିଥି ହୋଇଥିବାରୁ ଆଜି ଚଳଚଞ୍ଚଳ ହୋଇ ଉଠିଛି ଜଲେଶପଟ୍ଟା କନ୍ୟାଶ୍ରମ ।

କନ୍ୟାଶ୍ରମ ମୁଖ୍ୟ ଫାଟକ ଠାରୁ ଜଲେଶପଟ୍ଟା ଗ୍ରାମ ପର୍ଯ୍ୟନ୍ତ ସାଜସଜ୍ଜା କରାଯାଇଥିଲା । ସ୍ବାମୀଜୀଙ୍କ ପୀଠ ସ୍ଥଳୀ, ବ୍ୟକ୍ତିଗତ କକ୍ଷ, ଗୋଶାଳା ଆଦିକୁ ସୁସଜ୍ଜିତ କରାଯାଇଥିଲା । ସକାଳୁ ଆଶ୍ରମ ଅନ୍ତେବାସିନୀ କଳସ ଯାତ୍ରା କରିଥିଲେ । ଯଜ୍ଞ କାର୍ଯ୍ୟ, ସ୍ମୃତି ସଭା ଏବଂ ଜନ୍ମାଷ୍ଟମୀ ପାଳନ ପରେ ଛାତ୍ରୀ ମାନେ ସାମୁହିକ ବେଦ ପାଠ କରିଥିଲେ । ସ୍ବାମୀଜୀଙ୍କ ବହୁ ସଂଖ୍ୟାରେ ଅନୁଗାମୀ ଯୋଗ ଦେଇଛନ୍ତି । ଚକାପାଦ ସ୍ଥିତ ଆଶ୍ରମରେ ମଧ୍ୟ ଆଜି ଜନ୍ମାଷ୍ଟମୀ ସହ ସ୍ବାମୀଜୀଙ୍କ ୧୫ତମ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଛି । ଏଥି ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ କଡା ସୁରକ୍ଷା ଗ୍ରହଣ କରାଯାଇଛି । ଅପରପକ୍ଷରେ ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ବାମୀଜୀଙ୍କ ହତ୍ୟାକାରୀ ଧରା ନଯିବା ଏକ ଚିନ୍ତାର ବିଷୟ ବୋଲି ଜଲେଶପଟ୍ଟା ଆଶ୍ରମର ମୁଖ୍ୟ ଜୀବନ ମୁକ୍ତାନନ୍ଦଜୀ କହିଛନ୍ତି ।