
ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡରେ ସମସ୍ତ ଭିତ୍ତିଭୂମି ଥିବା ବେଳେ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୀର୍ଘବର୍ଷ ହେଲା ଘୁମୁସର ଜିଲ୍ଲା ଗଠନ ଦାବି ହୋଇ ଆସୁଛି। ଗତ ୧୯୯୩ ମସିହା ଠାରୁ ୨୦୧୦ ପର୍ଯ୍ୟନ୍ତ ଘୁମୁସର ଜିଲ୍ଲା ଘୋଷଣା ପାଇଁ କିଭଳି ରଣନୀତି ପ୍ରସ୍ତୁତ ହୋଇ ପଦକ୍ଷେପ ଗ୍ରହଣ କରି ଯେଉଁ ଆନ୍ଦୋଳନ ଚାଲିଥିଲା ତାହାକୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ସଂକ୍ଷିପ୍ତ ଇତିହାସ ପୁସ୍ତିକା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଦ୍ୱାରା ସୋମବାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଉନ୍ମୋଚିତ ହୋଇଯାଇଛି ।ଏଥିରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବହିର ସଂକଳକ ବରିଷ୍ଠ ଆଇନଜୀବୀ ତଥା ସାମ୍ପ୍ରତିକ ଜିଲ୍ଲା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟିର ସଭାପତି ସୋମନାଥ ନାୟକ ଓ ବରିଷ୍ଠ ନାଗରିକ ମଞ୍ଚର ବିଶିଷ୍ଟ ସଦସ୍ୟ ମାନେ ଏହି ଉନ୍ମୋଚନ ଉତ୍ସବ ର ଆୟୋଜନ କରିଥିଲେ । ଏହି ପୁସ୍ତିକାରେ ମାତ୍ର ୩୬ ପୃଷ୍ଠା ରହିଥିଲେ ମଧ୍ୟ ବହୁ ଐତିହାସିକ ତଥ୍ୟ ବହନ କରି ଇତିହାସ ପ୍ରେମୀ ତଥା ଘୁମୁସର ଜିଲ୍ଲା ଆନ୍ଦୋଳନ ଦାବୀ ନେଇ ଆଗ୍ରହୀ ଥିବା ବ୍ୟକ୍ତିଙ୍କ ପାଇଁ ବେଶ ଉପାଦେୟ ହୋଇ ପାରିଛି । ବର୍ତ୍ତମାନର ୫-ଟି ସଚିବ ଭି. କେ. ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ସରକାରଙ୍କୁ ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ଦେବା ପାଇଁ ସୁପାରିଶ କରିଥିବା ଚିଠି ଏଥିରେ ପ୍ରକାଶିତ ହୋଇଛି । ଘୁମୁସରର ଐତିହ୍ୟ ବହନ କରି କବି ପ୍ରଶାନ୍ତ ମହାନ୍ତି, ଅଶୋକ ସାହୁ ଓ ସୋମନାଥ ନାୟକଙ୍କ ଦ୍ୱାରା ରଚିତ ତିନୋଟି କବିତା ଏଥିରେ ସ୍ଥାନ ପାଇଥିବାରୁ ଏହା ସାହିତ୍ୟିକ ମୂଲ୍ୟ ମଧ୍ୟ ବଢ଼ାଇ ଦେଇଛି ।
ଏହି ପୁସ୍ତିକାରେ ସେ ସମୟରେ ବାଳକୃଷ୍ଣ ମହାପାତ୍ରଙ୍କ ନେତୃତ୍ବରେ ସୋମନାଥ ନାୟକ, ଜଗନ୍ନାଥ ପ୍ରସାଦ ବିଧାୟକ ମାଧବାନନ୍ଦ ବେହେରା, ଭଞ୍ଜନଗର ବିଧାୟକ ରାମକୃଷ୍ଣ ଗୌଡ଼, ଭଞ୍ଜନଗର ବ୍ଲକ ଚେୟାରମେନ ବିକ୍ରମ କେଶରୀ ଆରୁଖ, ଜଗନ୍ନାଥ ପ୍ରସାଦ ବ୍ଲକ୍ ଚେୟାରମେନ ବିନାୟକ ତ୍ରିପାଠୀ, ଭଞ୍ଜନଗର NAC ଚେୟାରମେନ ମହମ୍ମଦ ଲତିଫ, ବେଲଗୁଣ୍ଠା NAC ଚେୟାରମେନ ଘନଶ୍ୟାମ ସାହୁ, ତତ୍କାଳୀନ ଆସିକା ବିଧାୟକ ଦ୍ୱିତିକୃଷ୍ଣ ପଣ୍ଡା, ସୋରଡା ବିଧାୟକ ଶାନ୍ତି ଦେବୀ, କବିସୂର୍ଯ୍ୟନଗର ବିଧାୟକ ନିତ୍ୟାନନ୍ଦ ପ୍ରଧାନ, ଅଭିମନ୍ୟୁ ଗୌଡ଼, ଚନ୍ଦ୍ର ଶେଖର ମିଶ୍ର, ଶଶିଭୂଷଣ ତିଆଡି, ଦଣ୍ଡପାଣି ସ୍ୱାଇଁ, ତ୍ରିନାଥ ଗୌଡ଼, କୀର୍ତ୍ତନ ପ୍ରଧାନ, ରବୀନ୍ଦ୍ରନାଥ ଦାସ, ଏମ ତାଜ ଆଦେନୀ, ରମେଶ ଚନ୍ଦ୍ର ବେହେରା, ହୃଷୀକେଶ ସାହୁ, ରାମନାରାୟଣ ସାହୁ, ଉମାଚରଣ ଦାଶ, ସୁଶାନ୍ତ କୁମାର ମିଶ୍ର, ରେବତୀ ମୋହନ ନାୟକ, ପ୍ରଶାନ୍ତ ମହାନ୍ତି, ଲକ୍ଷ୍ମୀ ନାରାୟଣ ଦାସ, ଅନ୍ନଦା ଶଙ୍କର ପାଢ଼ୀ, ବିଷ୍ଣୁ ପ୍ରସାଦ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ କିପରି ବିଭିନ୍ନ ସମୟରେ ଏହି ଘୁମୁସର ଜିଲ୍ଲା ଆନ୍ଦୋଳନର ପୃଷ୍ଠପୋଷକ ସାଜିଥିଲେ ତାହା ବର୍ଣ୍ଣନା କରାଯାଇଛି ।